ଭୁବନେଶ୍ୱର, ୦୮/୦୯ : ଓଡ଼ିଶା ପାଇଁ ପୁଣି ବର୍ଷାର ସମ୍ଭାବନା ବଢ଼ିଛି। ବଙ୍ଗୋପସାଗରରେ ଆଗକୁ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରଥମ ଲଘୁଚାପ ଆସନ୍ତା ୧୦ରୁ ୧୧ ତାରିଖ ମଧ୍ୟରେ ଗଠନ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ୯ କିମ୍ବା ୧୦ ତାରିଖ ବେଳକୁ ସମୁଦ୍ରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ପ୍ରଥମ ଲଘୁଚାପ ପ୍ରଭାବରେ ୯ ତାରିଖରୁ ଉତ୍ତର ଓଡ଼ିଶା ଏବଂ ଉତ୍ତର ଉପକୂଳ ଅଞ୍ଚଳରେ ବର୍ଷା ବଢ଼ିବ। ୧୦ରୁ ୧୨ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ପ୍ରଥମେ ଉତ୍ତର ଓଡ଼ିଶାରେ ଏବଂ ପରବର୍ତ୍ତୀ ସମୟରେ ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ଲଘୁଚାପଟି ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ତଥା ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଗଠନ ହୋଇପାରେ। ପରେ ଏହା ଅଧିକ ସ୍ପଷ୍ଟ ଲଘୁଚାପର ରୂପ ନେଇପାରେ। ତେବେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା କମ୍ ଥିବା ଆକଳନ କରାଯାଉଛି। ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଓ କେନ୍ଦ୍ରୀୟ ଭାରତ ଆଡ଼କୁ ଯାଇପାରେ।
ଲଘୁଚାପ ସୃଷ୍ଟି ପାଇଁ ବର୍ତ୍ତମାନ ପାଣିପାଗର ସ୍ଥିତି ଅନୁକୂଳ ରହିଛି। ମୌସୁମୀ ନିମ୍ନଚାପ ରେଖା ସକ୍ରିୟ ଥିବାବେଳେ ବଙ୍ଗୋପସାଗରରୁ ପର୍ଯ୍ୟାପ୍ତ ପରିମାଣର ଜଳୀୟବାଷ୍ପ ଓଡ଼ିଶା ଆଡ଼କୁ ପ୍ରବେଶ କରୁଛି। ଏଥିସହ ତଳ ଓ ମଧ୍ୟ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପାଇଁ ମଧ୍ୟ ପରିବେଶ ଅନୁକୂଳ ରହିଛି।
୧୪ ତାରିଖ ଆଡ଼କୁ ଲଘୁଚାପଟି ସ୍ଥଳଭାଗ ଆଡ଼କୁ ଚାଲିଯିବା ପରେ ରାଜ୍ୟରେ ବର୍ଷାର ପରିମାଣ ଧୀରେ ଧୀରେ କମିପାରେ। କିନ୍ତୁ ଏହାର କିଛି ଦିନ ପରେ ପୁଣି ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରାଯାଉଛି।
ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁଯାୟୀ, ୧୭ ତାରିଖ ବେଳକୁ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ଗଠନ ହୋଇପାରେ। ଏହା ଶକ୍ତିଶାଳୀ ହେଲେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ମଧ୍ୟରେ ପୁଣି ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି।
ବିଭିନ୍ନ ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍—ଇସିଏମଡବ୍ଲୁଏଫ୍, ଇପିଏସ୍, ଜିଏଫଏସ୍ ଏବଂ ଜିଇଏଫଏସ୍ର ତଥ୍ୟକୁ ଆଧାର କରି ଆଗକୁ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି।
ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ଚାଷୀଙ୍କ ପାଇଁ ମଧ୍ୟ ପରାମର୍ଶ ଜାରି କରାଯାଇଛି। ଏବେ ଜଳସେଚନ କରିବାର ଆବଶ୍ୟକତା ନଥିବାବେଳେ ପ୍ରବଳ ବର୍ଷା ପୂର୍ବରୁ ୟୁରିଆ, ଅନ୍ୟ ସାର, ଅଣୁସାର ଓ କୀଟନାଶକ ପ୍ରୟୋଗ ନକରିବାକୁ କୁହାଯାଇଛି। ଧାନ, ଡାଲି, ମକା, ବାଦାମ ଓ ପନିପରିବା ଚାଷ ହୋଇଥିବା ଜମିରେ ଅତିରିକ୍ତ ପାଣି ଜମି ନରହିବା ପାଇଁ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

