ଭୁବନେଶ୍ୱର, ୦୭/୦୯: ପିଆଜ ଦର ବୃଦ୍ଧି ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି। ଦିନକୁ ଦିନ ଦର ବଢ଼ିବାରୁ ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଖାଉଟିଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବର୍ତ୍ତମାନ ପାଇକାରୀ ବଜାରରେ ଏକ କେଜି ପିଆଜ ପ୍ରାୟ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ବଜାରରେ ଏହାର ଦାମ ୭୦ ଟଙ୍କା ନିକଟରେ ପହଞ୍ଚିଛି।
ରାଜ୍ୟର ବିଭିନ୍ନ ବଜାରରେ ପିଆଜର ଏଭଳି ଉଚ୍ଚ ଦର ଦେଖିବାକୁ ମିଳୁଛି। ଯୋଗାଣ ତୁଳନାରେ ଚାହିଦା ଅଧିକ ରହିବା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ବ୍ୟବସାୟୀମାନେ କହୁଛନ୍ତି।
ଓଡ଼ିଶାର ପିଆଜ ଚାହିଦାର ଏକ ବଡ଼ ଅଂଶ ନାସିକ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଉପରେ ନିର୍ଭରଶୀଳ। କିନ୍ତୁ ନାସିକ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଚାଷ ଉପରେ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ପିଆଜ ଯୋଗାଣ ଉପରେ ପଡ଼ିଛି।
ବ୍ୟବସାୟୀଙ୍କ କହିବା ଅନୁସାରେ, ପୂର୍ବରୁ ଓଡ଼ିଶାର ବଜାରକୁ ପ୍ରତିଦିନ ୫ରୁ ୬ଟି ପିଆଜ ବୋଝେଇ ଟ୍ରକ୍ ଆସୁଥିଲା। ଏବେ ଏହା ହ୍ରାସ ପାଇ ମାତ୍ର ଗୋଟିଏ କିମ୍ବା ଦୁଇଟି ଟ୍ରକ୍ରେ ସୀମିତ ରହିଛି। ଯୋଗାଣ କମିବା ସହ ଦର ବଢ଼ିବା ସ୍ୱାଭାବିକ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।
ପିଆଜ ଦର ବଢ଼ିବାରୁ ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଘରୋଇ ବଜେଟ୍ରେ ପଡ଼ୁଛି। ଅନ୍ୟପଟେ ଏହି ଦରବୃଦ୍ଧି ଆଉ କେତେଦିନ ଚାଲିବ, ସେନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳୁନାହିଁ। ବଜାର ବ୍ୟବସାୟୀଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨ରୁ ୩ ମାସ ପର୍ଯ୍ୟନ୍ତ ଦର ଉପରେ ଚାପ ରହିପାରେ।
ଫଳରେ ଆଗାମୀ ଦିନରେ ପିଆଜ ଦର କେବେ କମିବ ଏବଂ ଖାଉଟିଙ୍କୁ କେବେ ଆଶ୍ୱସ୍ତି ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

