ଭୁବନେଶ୍ୱର, ୭/୦୯: ଓଡ଼ିଶାରେ ପୁଣି ବଢ଼ିପାରେ ବର୍ଷାର ପ୍ରକୋପ। ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା କମ୍ ଥିବା କୁହାଯାଉଛି। ଘୂର୍ଣ୍ଣିବଳୟର ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀର ପ୍ରଭାବ ସର୍ବାଧିକ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିପାରେ। ବିଶେଷକରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ଲାଗିଥିବା ଜିଲ୍ଲାଗୁଡ଼ିକ ସହ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ଯାଜପୁର, ବାଲେଶ୍ୱର, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭଲ ପରିମାଣର ବର୍ଷା ହୋଇପାରେ। କେତେକ ସ୍ଥାନରେ ଭାରୀ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ୯ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ୧୦ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଭାରୀ ବର୍ଷା ହେବାର ପୂର୍ବାନୁମାନ ରହିଛି।
ସେହିପରି ୧୧ ତାରିଖରେ ଉତ୍ତର ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ବଢ଼ିପାରେ।
ରବିବାର ଦିନ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ବାରିପଦାରେ ୧୭.୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି।

