ନୂଆଦିଲ୍ଲୀ: ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଡୋମିନିକାନ ରିପବ୍ଲିକର ଚମକ। ‘ମିସ୍ ୱାର୍ଲ୍ଡ ୨୦୨୬’ର ମୁକୁଟ ହାତେଇଛନ୍ତି ଡୋମିନିକାନ ରିପବ୍ଲିକର ପ୍ରତିଯୋଗୀ ଜୋହେରୀ ମୋଲା। ଭିଏତନାମରେ ଆୟୋଜିତ ଭବ୍ୟ ଫାଇନାଲ୍ କାର୍ଯ୍ୟକ୍ରମରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
ପୂର୍ବତନ ମିସ୍ ୱାର୍ଲ୍ଡ ତଥା ଥାଇଲ୍ୟାଣ୍ଡର ଓପଲ ସୁଚାତା ଚୁଆଙ୍ଗସରୀ ବିଜୟୀ ଜୋହେରୀଙ୍କୁ ମିସ୍ ୱାର୍ଲ୍ଡର ମୁକୁଟ ପିନ୍ଧାଇଥିଲେ। ଏହା ସହ ଡୋମିନିକାନ ରିପବ୍ଲିକ ପାଇଁ ଏହି ଆନ୍ତର୍ଜାତୀୟ ମଞ୍ଚରେ ଏକ ବଡ଼ ସଫଳତା ଆସିଛି।
ଶୀର୍ଷ ୩ରେ କିଏ?
ଫାଇନାଲ୍ ପର୍ଯ୍ୟାୟରେ ପ୍ରତିଯୋଗିତା ବେଶ୍ ରୋମାଞ୍ଚକର ରହିଥିଲା। ଶେଷରେ ଶୀର୍ଷ ୩ ସ୍ଥାନ ଏହିପରି ରହିଥିଲା—
ବିଜେତା: ଜୋହେରୀ ମୋଲା — ଡୋମିନିକାନ ରିପବ୍ଲିକ
ପ୍ରଥମ ରନର୍ସଅପ୍: ଏଲିଜାବେଥ ରେୟନେସ — ସ୍ପେନ୍
ଦ୍ୱିତୀୟ ରନର୍ସଅପ୍: ତାନୁସିଆ ଚେଟ୍ଟି — ମାଲେସିଆ
ଏଥର ଫାଇନାଲ୍ ପର୍ଯ୍ୟାୟକୁ ମୋଟ ୬ ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଇରିଟ୍ରିଆ, ସ୍ପେନ୍, ମାଲେସିଆ, ଭିଏତନାମ, ଡୋମିନିକାନ ରିପବ୍ଲିକ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ରହିଥିଲେ।
ଭାରତରୁ ନିକିତାଙ୍କ ପ୍ରତିନିଧିତ୍ୱ
‘ମିସ୍ ୱାର୍ଲ୍ଡ ୨୦୨୬’ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ନିକିତା ପୋଡଓ୍ବାଲ। ନିଜର ଆତ୍ମବିଶ୍ୱାସୀ ପ୍ରଦର୍ଶନ ଜରିଆରେ ସେ ଟପ୍-୪୦ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ। ତେବେ ଏହାପରେ ଟପ୍-୨୦ରେ ପହଞ୍ଚିବାରେ ସେ ସଫଳ ହୋଇନଥିଲେ।
ନିକିତାଙ୍କ ପ୍ରଦର୍ଶନକୁ ମିସ୍ ଇଣ୍ଡିଆ ସଂଗଠନ ପ୍ରଶଂସା କରିଛି। ବିଶ୍ୱସ୍ତରୀୟ ମଞ୍ଚରେ ସେ ଭାରତକୁ ଗର୍ବିତ କରିବା ସହ ସମ୍ମାନର ସହ ପ୍ରତିନିଧିତ୍ୱ କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି।
୧୯୫୧ରୁ ଚାଲିଆସୁଛି ମିସ୍ ୱାର୍ଲ୍ଡ
ମିସ୍ ୱାର୍ଲ୍ଡକୁ ବିଶ୍ୱର ସର୍ବପୁରାତନ ଓ ପ୍ରମୁଖ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ୧୯୫୧ ମସିହାରେ ବ୍ରିଟେନରୁ ଏହି ପ୍ରତିଯୋଗିତାର ଯାତ୍ରା ଆରମ୍ଭ ହୋଇଥିଲା।
ଚଳିତ ସଂସ୍କରଣରେ ବିଶ୍ୱର ବିଭିନ୍ନ ଦେଶରୁ ମୋଟ ୧୧୧ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏଥର ଫ୍ରେଞ୍ଚ ଗୁଏନା, ଇରିଟ୍ରିଆ, ମୋଜାମ୍ବିକ, ପାକିସ୍ତାନ ଓ ମାଳଦ୍ୱୀପ ଭଳି ଦେଶ ପ୍ରଥମ ଥର ପାଇଁ ଏହି ମଞ୍ଚକୁ ନିଜ ପ୍ରତିଯୋଗୀ ପଠାଇଥିଲେ।

