ଭୁବନେଶ୍ୱର: ସମୁଦ୍ର ଓ ନୌବାଣିଜ୍ୟ ସହ ଓଡ଼ିଶାର ଶତାବ୍ଦୀ ପୁରୁଣା ସମ୍ପର୍କ ଏବେ ଆଧୁନିକ ଶିଳ୍ପ କ୍ଷେତ୍ରରେ ନୂଆ ରୂପ ନେବାକୁ ଯାଉଛି। ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଏକ ବୃହତ୍ ଜାହାଜ ନିର୍ମାଣ ପ୍ରକଳ୍ପ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାରେ ମହାନଦୀ କୂଳରେ ପ୍ରସ୍ତାବିତ ଏହି ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ ପ୍ରାୟ ୨୪,୭୦୦ କୋଟି ଟଙ୍କା ନିବେଶ ହେବ। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ‘ଜାହାଜ ନିର୍ମାଣ ବିକାଶ ଯୋଜନା’ ଅଧୀନରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ପାରାଦୀପ ନିକଟରେ ଥିବା ଇଫ୍କୋ ପ୍ଲାଣ୍ଟ ପାଖରେ ମହାନଦୀର ଉତ୍ତର ପାର୍ଶ୍ୱରେ ଏହି ଶିଳ୍ପାଞ୍ଚଳ ଗଢ଼ାଯିବ। ଓଡ଼ିଶା ନୌବାଣିଜ୍ୟ ବୋର୍ଡ ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ ମାଧ୍ୟମରେ ପ୍ରକଳ୍ପର ବିକାଶ କରାଯିବ।
ପ୍ରକଳ୍ପର ପରିକଳ୍ପନା କେବଳ ଜାହାଜ ତିଆରିରେ ସୀମିତ ରହିବ ନାହିଁ। ଏଠାରେ ଜାହାଜ ମରାମତି ସହ ଜାହାଜ ନିର୍ମାଣକୁ ଆବଶ୍ୟକ ବିଭିନ୍ନ ଭାରୀ ଶିଳ୍ପ ମଧ୍ୟ ସ୍ଥାପନ ହେବ। ଇଞ୍ଜିନ୍ ନିର୍ମାଣ, ଇସ୍ପାତ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ଉପକରଣ ଯୋଗାଣ ଭଳି ସହଯୋଗୀ ଶିଳ୍ପଗୁଡ଼ିକୁ ମଧ୍ୟ ଏହି କ୍ଲଷ୍ଟରରେ ସ୍ଥାନ ମିଳିବ।
ଯୋଜନା ଅନୁସାରେ ପ୍ରକଳ୍ପ ପାଇଁ ପ୍ରାୟ ୨,୦୦୦ରୁ ୨,୫୦୦ ଏକର ଜମି ଆବଶ୍ୟକ ହେବ। ଏହାସହ ପ୍ରାୟ ୨ରୁ ୨.୫ କିଲୋମିଟର ଲମ୍ବା ଜଳପ୍ରାନ୍ତ ବିକଶିତ କରାଯିବ। ଏଠାରେ ଗୋଟିଏ କିମ୍ବା ଏକାଧିକ ବଡ଼ ଜାହାଜ ନିର୍ମାଣ କାରଖାନା ସ୍ଥାପନ ହୋଇପାରେ।
ପ୍ରସ୍ତାବିତ କ୍ଲଷ୍ଟରର ସମୁଦାୟ ଜାହାଜ ନିର୍ମାଣ କ୍ଷମତା ବାର୍ଷିକ ପ୍ରାୟ ୧.୨ ନିୟୁତ ଗ୍ରସ୍ ଟନ୍ ରହିବ ବୋଲି ଯୋଜନା ରହିଛି। ଏହା ସହିତ ଆଧୁନିକ ଗବେଷଣା ଓ ବିକାଶ କେନ୍ଦ୍ର, ଦକ୍ଷ ମାନବ ସମ୍ବଳ ପାଇଁ ତାଲିମ କେନ୍ଦ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ଗଢ଼ାଯିବ।
ବିଶେଷଜ୍ଞଙ୍କ ମତରେ, ଏଭଳି ବୃହତ୍ ଜାହାଜ ନିର୍ମାଣ ଶିଳ୍ପ ଓଡ଼ିଶାର ଶିଳ୍ପ ଅର୍ଥନୀତିକୁ ନୂଆ ଗତି ଦେଇପାରେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅନେକ ସହଯୋଗୀ ଶିଳ୍ପର ବିକାଶ ହେବାର ସମ୍ଭାବନା ରହିଛି।
ପୁରାତନ କାଳରେ ବୋଇତ ବନ୍ଦାଣ ଓ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରା ପାଇଁ ପରିଚିତ ଓଡ଼ିଶା ଏବେ ଆଧୁନିକ ଜାହାଜ ନିର୍ମାଣ ଶିଳ୍ପରେ ନିଜର ନୂଆ ପରିଚୟ ତିଆରି କରିବା ଦିଗରେ ଆଗକୁ ବଢ଼ୁଛି। ଏହି ପ୍ରକଳ୍ପ ସଫଳ ହେଲେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳ ଦେଶର ଏକ ପ୍ରମୁଖ ସାମୁଦ୍ରିକ ଶିଳ୍ପ କେନ୍ଦ୍ର ଭାବେ ଉଭା ହୋଇପାରେ।

