କାଠମାଣ୍ଡୁ, ୦୧/୦୯: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାକୁ ନେଇ ଏବେ ସାମ୍ନାକୁ ଆସୁଛି ନୂଆ ତଥ୍ୟ। ପ୍ରଥମେ ଏହି ବିପର୍ଯ୍ୟୟ ପଛରେ ହୀମନଦୀ ହ୍ରଦ ଫାଟିବା ବା ଗ୍ଲାସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ (ଜିଏଲଓଏଫ୍) ଥିବା ଆଶଙ୍କା କରାଯାଇଥିଲା। କିନ୍ତୁ ଏବେର ଯାଞ୍ଚରୁ ଏହି ଆଶଙ୍କା ଦୁର୍ବଳ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳ ନିକଟରେ ତିବ୍ବତ ପଟକୁ କୌଣସି ହୀମନଦୀ ହ୍ରଦ ଭାଙ୍ଗିଥିବାର ପ୍ରମାଣ ମିଳିନାହିଁ।
ନେପାଳ ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ରର ଅଧ୍ୟକ୍ଷ ବିଶାଲ ନାଥ ଉପ୍ରେତୀଙ୍କ କହିବା ଅନୁସାରେ, ଘଟଣା ପରେ ବନ୍ୟାର କାରଣକୁ ନେଇ ଅନେକ ପ୍ରକାର ଆକଳନ କରାଯାଇଥିଲା। ଆରମ୍ଭରେ ଭୂମିକମ୍ପ ଯୋଗୁ ବରଫ ଓ ବିଶାଳ ପଥର ଖସିବାରୁ ବନ୍ୟା ଆସିଥିବା ମଧ୍ୟ ଅନୁମାନ କରାଯାଇଥିଲା।
ତେବେ ଭୂମିକମ୍ପକୁ ନେଇ ମଧ୍ୟ ଏବେ ଚିତ୍ର ବଦଳିଛି। ପ୍ରଥମେ ଭୂମିକମ୍ପର ତୀବ୍ରତା ୪.୨ ଥିବା କୁହାଯାଇଥିଲା। ପରେ ଏହାକୁ ୫.୨କୁ ସଂଶୋଧନ କରାଯାଇଥିଲା। ହେଲେ ଆମେରିକୀୟ ଭୂବୈଜ୍ଞାନିକ ସର୍ଭେକ୍ଷଣର ବିଶ୍ଳେଷଣ ଏକ ଭିନ୍ନ ଚିତ୍ର ଦେଖାଉଛି। ଉପଲବ୍ଧ ତଥ୍ୟ ଅନୁସାରେ, ହୁଏତ ପ୍ରଥମେ ବରଫ ଓ ପଥର ତଳକୁ ଖସିଥିଲା ଏବଂ ତା’ପରେ ଭୂମିକମ୍ପ ଘଟିଥିଲା। ତେଣୁ ଭୂମିକମ୍ପକୁ ବନ୍ୟାର ପ୍ରମୁଖ କାରଣ ବୋଲି ଏବେଠାରୁ କହିହେବ ନାହିଁ।
ଏହାରି ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପ୍ରଥମ ଭୂ-ସ୍ଖଳନର ପ୍ରାୟ ୩ ଘଣ୍ଟା ପରେ ପୁଣି ଏକ ଭୂ-ସ୍ଖଳନ ହୋଇଥିଲା। ଏହା ଫଳରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଏକ ବନ୍ଧ ଭାଙ୍ଗି ଯାଇ ଛୋଟ ଧରଣର ବନ୍ୟା ଆସିଥିଲା। ତେବେ ଏହା ଦ୍ୱାରା ବଡ଼ କ୍ଷୟକ୍ଷତି ହୋଇନଥିବା କୁହାଯାଇଛି।
ବଡ଼ ଭୂ-ସ୍ଖଳନ ହିଁ କାରଣ?
ଏବେ ବୈଜ୍ଞାନିକଙ୍କ ନଜର ଏକ ନୂଆ ସମ୍ଭାବନା ଉପରେ। ହୀମନଦୀ ହ୍ରଦ ଫାଟିବା ବଦଳରେ ବିଶାଳ ଭୂ-ସ୍ଖଳନ ଯୋଗୁ ଏହି ବିପର୍ଯ୍ୟୟ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ବହୁ ପରିମାଣର ବରଫ ଓ ପଥର ଏକାସାଙ୍ଗରେ ତଳକୁ ଖସିବା ଯୋଗୁ ଅଚାନକ ପଙ୍କ, କାଦୁଅ ଓ ପାଣିର ବିଶାଳ ସୁଅ ସୃଷ୍ଟି ହୋଇଥାଇପାରେ।
ତେବେ ଏହା ଏବେ ବି କେବଳ ଏକ ସମ୍ଭାବନା। ପ୍ରଭାବିତ ଅଞ୍ଚଳକୁ ପହଞ୍ଚିବା କଷ୍ଟକର ହୋଇଥିବାରୁ ସାଟେଲାଇଟ୍ ଛବି ଓ ଅନ୍ୟ ବୈଜ୍ଞାନିକ ତଥ୍ୟର ଆଧାରରେ ଯାଞ୍ଚ ଚାଲିଛି। ବିଶେଷଜ୍ଞଙ୍କ ଅନୁସନ୍ଧାନ ପରେ ହିଁ ନେପାଳର ଏହି ଭୟଙ୍କର ବନ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ।

