ବହଳଦା, ୨୦/୮ : ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବଡ଼ପଳସା ଗ୍ରାମପଞ୍ଚାୟତର ବୁରୁପଳସା ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ନିଶା ଚକଲେଟ ଖୁଆଇ ଦୁର୍ବୃତ୍ତ ଫେରାର ହୋଇଯିବା ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଚକଲେଟ ଖାଇବା ପରେ ତିନିଜଣ ଛାତ୍ରୀ ଅସୁସ୍ଥ ହୋଇ ଅଚେତ ହୋଇପଡ଼ିଥିବା ବେଳେ ସେମାନଙ୍କୁ ପ୍ରଥମେ ବହଳଦା ଡାକ୍ତରଖାନା ଓ ପରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗିଦିଘାଟୀରୁ ବଡ଼ପଳସା ଦେଇ ରତନସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକଡ଼ରେ ଥିବା ବୁରୁପଳସା ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ସକାଳୁ ଆସି ବିଦ୍ୟାଳୟ ଖୋଲିବା ପୂର୍ବରୁ ପରିସରରେ ଖେଳାଖେଳି କରୁଥିଲେ। ଏହି ସମୟରେ ଏକ ଧଳା ସ୍କୁଟିରେ ତିନିଜଣ ଅଜଣା ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ସେମାନେ ତିନିଜଣ ଛାତ୍ରୀଙ୍କୁ ଜୋରଜବରଦସ୍ତ ଚକଲେଟ ଖୁଆଇ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି।
ଚକଲେଟ ଖାଇବାର କିଛି ସମୟ ପରେ ଛାତ୍ରୀମାନଙ୍କ ମୁଣ୍ଡ ବୁଲାଇବା ସହ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଧାନଶିକ୍ଷକ ବିଦ୍ୟାଳୟରେ ପହଞ୍ଚିବା ବେଳକୁ ତିନିଜଣ ଛାତ୍ରୀ ଅଚେତ ଅବସ୍ଥାରେ ଥିଲେ। ଶିକ୍ଷକମାନେ ତୁରନ୍ତ ସେମାନଙ୍କୁ ବହଳଦା ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବହଳଦା ଓ ତିରିଂ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।
ଗୁରୁତର ଛାତ୍ରୀମାନେ ହେଲେ ସୁଗୀ ମୁର୍ମୁ (ପଞ୍ଚମ ଶ୍ରେଣୀ), ବାସନ୍ତୀ ମାର୍ଣ୍ଡି (ପଞ୍ଚମ ଶ୍ରେଣୀ) ଓ ପାର୍ବତୀ ହେମ୍ବ୍ରମ (ପ୍ରଥମ ଶ୍ରେଣୀ)। ବହଳଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି।
ତେବେ ଘଟଣାକୁ ନେଇ ତିରିଂ ଥାନାରେ ଏଯାବତ୍ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଚକଲେଟରେ କୌଣସି ନିଶାଦ୍ରବ୍ୟ ମିଶିଥିଲା କି ନାହିଁ, ତାହା ପରୀକ୍ଷା ପରେ ସ୍ପଷ୍ଟ ହେବ। ଘଟଣା ପଛରେ ଛାତ୍ରୀମାନଙ୍କୁ ଅପହରଣ ଉଦ୍ୟମ ଥାଇପାରେ ବୋଲି ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା ସହ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ କରିବାକୁ ସାଧାରଣରେ ଦାବି ହୋଇଛି।

