ଭୁବନେଶ୍ୱର: ଭତ୍ତା ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର। ‘ମଧୁବାବୁ ପେନସନ୍ ଯୋଜନା’ରେ ପେଣ୍ଡିଂ ଥିବା ଆବେଦନଗୁଡ଼ିକର ଯାଞ୍ଚ ଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ସୁଦ୍ଧା ସମସ୍ତ ପେଣ୍ଡିଂ ଆବେଦନର ଯାଞ୍ଚ ପ୍ରକ୍ରିୟା ସାରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳ, ଆରଡିସି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାମ ମିଶନ୍ ମୋଡରେ ଶେଷ କରିବାକୁ ନିର୍ଦ୍ଦେଶ ମିଳିଛି। ଯୋଗ୍ୟ ଆବେଦନକାରୀଙ୍କୁ ଯେପରି ଶୀଘ୍ର ଯୋଜନାର ଲାଭ ମିଳିପାରିବ, ସେଥିପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଛି।
ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ୩୬ ଲକ୍ଷ ୭୫ ହଜାରରୁ ଅଧିକ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ପେନସନ୍ ପାଉଛନ୍ତି। ତେବେ ଅଗଷ୍ଟ ୧୨ ତାରିଖ ସୁଦ୍ଧା ୬୩ ହଜାର ୮୪୮ଟି ଅନଲାଇନ୍ ଆବେଦନ ଯାଞ୍ଚ ହୋଇନଥିବା ଜଣାପଡ଼ିଛି। ଏହି ଆବେଦନଗୁଡ଼ିକ ମୁଖ୍ୟତଃ ବ୍ଲକ୍ ସ୍ତରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳ ସ୍ତରରେ ସମ୍ପୃକ୍ତ କାର୍ଯ୍ୟାଳୟରେ ପେଣ୍ଡିଂ ରହିଛି।ମଧୁବାବୁ ପେନସନ୍ ଯୋଜନା ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା। ଏହି ଯୋଜନା ମାଧ୍ୟମରେ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ, କୁଷ୍ଠରୋଗୀ, କିନ୍ନର ଏବଂ ଅନ୍ୟ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ।
ଯୋଜନା ଅନୁସାରେ, ୬୦ରୁ ୭୯ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ମାସିକ ୧,୦୦୦ ଟଙ୍କା ପେନସନ୍ ମିଳୁଥିବା ବେଳେ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ମାସିକ ୩,୫୦୦ ଟଙ୍କା ଦିଆଯାଉଛି। ସେହିପରି ୮୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଅକ୍ଷମତା ଥିବା ଗୁରୁତର ଭିନ୍ନକ୍ଷମଙ୍କୁ ମାସିକ ୩,୫୦୦ ଟଙ୍କା ଏବଂ ୪୦ରୁ ୭୯ ପ୍ରତିଶତ ଅକ୍ଷମତା ଥିବା ଭିନ୍ନକ୍ଷମଙ୍କୁ ମାସିକ ୧,୨୦୦ ଟଙ୍କା ପେନସନ୍ ମିଳୁଛି।ଏହାବ୍ୟତୀତ ବିଧବା, କୁଷ୍ଠରୋଗୀ ଓ କିନ୍ନର ହିତାଧିକାରୀଙ୍କୁ ମଧ୍ୟ ମାସିକ ୧,୦୦୦ ଟଙ୍କା ପେନସନ୍ ଦିଆଯାଉଛି। ତେଣୁ ପେଣ୍ଡିଂ ଆବେଦନଗୁଡ଼ିକର ଯାଞ୍ଚ ଶେଷ ହେବା ପରେ ଯୋଗ୍ୟ ଆବେଦନକାରୀମାନେ ଖୁବଶୀଘ୍ର ମଧୁବାବୁ ପେନସନ୍ ଯୋଜନାର ଲାଭ ପାଇପାରିବେ।

