ଭୁବନେଶ୍ୱର : କ’ଣ ରହିବ ପ୍ରଣବ ପ୍ରକାଶ ଦାସ ବା ବବିଙ୍କ ପ୍ଲାନ୍ ? ବାତ୍ୟାରେ ପୁରା ଆକ୍ଚିଭ୍ ଥିଲେ ବବି । ବୁଲୁଛନ୍ତି ଗାଁ ଗଳି କନ୍ଦି । ପୀଡିତଙ୍କ ଦୁଃଖ ଶୁଣୁଛନ୍ତି । ପାଣି କାଦୁଅକୁ ଖାତିର ନକରି ବାଣ୍ଟଛନ୍ତି ରିଲିଫ୍ । ତେବେ ବବିଙ୍କ ଏପରି ପରିବର୍ତ୍ତନ ଦେଖି ଲୋକେ ବି ତାଜୁବ୍ । ଶୁଣିବାକୁ ମିଳୁଛି କୁଆଡେ ବବି ପୁଣି ଯାଜପୁରରୁ ଲଢିବେ ।
ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ଦାସ ବା ବବି ଦାସ । ଏକତା ସେ ବିଜେଡିର ଥିଲେ ନମ୍ବର ୨ ନେତା । ତାଙ୍କ କଥାରେ ସବୁ ଚାଲୁଥିଲା । ବବିଙ୍କ ଇଶାରାରେ ନେତାଙ୍କୁ ଟିକେଟ୍ ମିଳୁଥିଲା । ସେ ଥିଲେ ସର୍ବେସର୍ବା । ସବୁ କଥାରେ ସେ ଦଳ ପାଇଁ ପ୍ଲାନ୍ କରୁଥିଲେ । ତାଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ ମଧ୍ୟ କରିଥିଲେ । ହେଲେ ୨୦୨୪ ସବୁ ଅଙ୍କ ବିଗାଡି ଦେଲା । ଯାଜପୁରରେ କାଟତି ରଖିଥିବା ବବି ହଠାତ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ବିଜେପିର ପାଓ୍ୱାରଫୁଲ୍ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲଢିଥିଲେ । କିନ୍ତୁ ଚାଖିବାକୁ ପଡିଥିଲା ପରାଜୟର ସ୍ୱାଦ । ସମ୍ବଲପୁରରେ ବିଫଳ ହେଲା ପରେ ଏବେ ପୁଣି ଯାଜପୁର ଆଡେ ମୁହାଁଇଛନ୍ତି ସେ ।
ଯାଜପୁର ହେଉଛି ବବିଙ୍କ ଗଡ । ଏଠାରେ ସେ ବିଧାୟକ ଭାବେ ଅନେକ ଥର ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ତାଙ୍କର ବେସ୍ କାଟତି ରହିଛି । ତାଙ୍କ ସମର୍ଥିତ ପ୍ରାର୍ଥୀ ଯାଜପୁରରେ ବିଧାୟକ ବି ହୋଇଛନ୍ତି । କିନ୍ତୁ କିଛି ଦିନର ନିରବତା ପରେ ବବି ପୁଣି ଆକ୍ଟିଭ୍ । ଗାଁକୁ ଗାଁ ବୁଲୁଛନ୍ତି । ବଳ ଗୋଟାଉଛନ୍ତି । ସମର୍ଥକଙ୍କ ସହ ମିଶୁଛନ୍ତି ।
ନିକଟରେ ଓଡିଶାରେ ବନ୍ୟା ଆସିଥିଲା । ଯାଜପୁରର ଅନେକ ବ୍ଲକ୍ ଏବଂ ଗାଁ ପାଣି ଘେରରେ ରହିଥିଲା । ଏହି ସମୟରେ ବବି ସମର୍ଥକଙ୍କ ସହ ବାଇକରେ ପ୍ରଭାବିତ ଗାଁ ଗସ୍ତ କରିଥିଲେ । ଦୁଃଖ ବୁଝିଥିଲେ । ସାହାଯ୍ୟ ମଧ୍ୟ କରିଥିଲେ । ଲୋକେ ବି ବବିଙ୍କୁ ଖୁବ୍ ପ୍ରଶଂସା କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ବବି ପୂର୍ବରୁ ସାରା ରାଜ୍ୟରେ ବିଜେଡି କଥା ବୁଝୁଥିଲେ । ଏବେ କିନ୍ତୁ ଯାଜପୁରରେ ଲୋକଙ୍କ ସହ ମିଶୁଛନ୍ତି । ତାଙ୍କର ଏହି ନୂଆ ଅନ୍ଦାଜ ଅନେକ କଥା କହୁଛି ।
କେହି କେହି କହୁଛନ୍ତି ବବି ପୁଣି ଆକ୍ଟିଭ୍ ହେଲେଣି । ସେ ଯାଜପୁର ଫେରିବେ ଏବଂ ୨୦୨୯ରେ ଏଠାରୁ ଲଢିବେ । ତାଙ୍କ ଗଡକୁ ଫେରାଇ ଆଣିବେ । ଆଉ କେହି କେହି କହୁଛନ୍ତି ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତେଣୁ ବବିଙ୍କ ଏହା ରଣନୀତି । ସେ ବିଜେଡିକୁ ପୁଣି ଥରେ ଏଠାରେ ଜିତାଇବାକୁ ଚାହୁଁଛନ୍ତି । ଏହା ଦ୍ୱାରା ରାଜ୍ୟ ରାଜନୀତିରେ ତାଙ୍କର ଦବଦବା ଆଉ ଥରେ ବୃଦ୍ଧି ପାଇବ ।

