ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଖୁବ୍ ଶୀଘ୍ର ନିଜ ପଦ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଆସନ୍ତା ଏକ ମାସ ମଧ୍ୟରେ ଏହି ପରିବର୍ତ୍ତନ ହୋଇପାରେ ଏବଂ ବିସିସିଆଇ ଖୁବ୍ ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରିପାରେ।
ରିପୋର୍ଟ ମୁତାବକ, ଅଗରକରଙ୍କ ସ୍ଥାନରେ ଭାରତର ପୂର୍ବତନ ଦିଗ୍ଗଜ ବ୍ୟାଟର ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ମିଳିପାରେ। ବର୍ତ୍ତମାନ ସେ ନ୍ୟାସନାଲ କ୍ରିକେଟ୍ ଆକାଡେମି (ଏନସିଏ)ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ୨୦୨୬ ଜୁନରେ ଶେଷ ହେବାକୁ ଥିଲା। ପରେ ତାହାକୁ ତିନି ମାସ ବଢ଼ାଯାଇଥିଲା। ପୂର୍ବରୁ ସେ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିଥିବା ଚର୍ଚ୍ଚା ହେଉଛି।
ଗତ କିଛି ମାସ ଧରି ଅଜିତ ଅଗରକର ବିଭିନ୍ନ ପ୍ରସଙ୍ଗକୁ ନେଇ ଚାପରେ ରହିଛନ୍ତି। ବିଶେଷକରି ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ହୋଇଥିବା ଚର୍ଚ୍ଚା ତାଙ୍କ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍କୁ ରୋହିତଙ୍କ ଶେଷ ସିରିଜ୍ ବୋଲି କୁହାଯାଉଥିଲେ ମଧ୍ୟ, ଲର୍ଡସରେ ତାଙ୍କ ଶତକ ସବୁ ସମୀକରଣକୁ ବଦଳାଇ ଦେଇଥିଲା। ପରେ ବିସିସିଆଇ ସଚିବ ଦେବଜିତ ସାଇକିୟା ସ୍ପଷ୍ଟ କରିଥିଲେ ଯେ ରୋହିତ ଏବେ ବି ଦିନିକିଆ କ୍ରିକେଟ୍ ଜାରି ରଖିବେ।
ଅନ୍ୟପଟେ ଦଳର ପ୍ରଦର୍ଶନ ମଧ୍ୟ ବୋର୍ଡର ଚିନ୍ତା ବଢ଼ାଇଛି। ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଭାରତ କ୍ଲିନ୍ ସୁଇପ୍ ହୋଇଥିବା ବେଳେ ଦିନିକିଆରେ ମଧ୍ୟ ଆଶାନୁରୂପ ସଫଳତା ମିଳିନାହିଁ। ଏହାକୁ ନେଇ ବିସିସିଆଇ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଖୁବ୍ ଶୀଘ୍ର ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ, ଯେଉଁଥିରେ ଦଳର ପ୍ରଦର୍ଶନ, ଖେଳାଳିଙ୍କ ଭୂମିକା ଏବଂ ଆଗାମୀ ରଣନୀତି ଉପରେ ବିସ୍ତୃତ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

