25.9 C
Odisha
Saturday, March 7, 2026

ମହାକାଶରେ ମୃତ୍ୟୁ ହେଲେ ଶବ ସହ କ’ଣ ହୁଏ ?

ଦର୍ଶକବନ୍ଧୁ ମହାକାଶକୁ ଯାତ୍ରା କରିବା ଏବେ କିଛି ବଡ କଥା ନୁହେଁ । ଅନେକ କମ୍ପାନୀ ଲୋକଙ୍କୁ ମହାକାଶ ଯାତ୍ରା କରାଉଛନ୍ତି । ଯେଉଁଥିରେ ବ୍ଲୁ ଅରିଜିନ ଓ ଭର୍ଜିନ ଗ୍ୟାଲେକ୍ଟିକ ଭଳି କମ୍ପାନୀଙ୍କ ନାଁ ରହିଚି ସାମିଲ । ହେଲେ ଜମେ ମଣିଷକୁ ମହାକାଶକୁ ପଠାଇବା ସାଧାରଣ ଭାବେ ଏତେ ସହଜ କଥା ନୁହେଁ । ଏହାସହ କିଛି ବିପଦଜନକ କାର୍ଯ୍ୟ ବି ରହିଛି । ହେଲେ ଆପଣ ଜାଣିଛନ୍ତି କି, ଯଦି କୌଣସି ବ୍ୟକ୍ତିଙ୍କର ମହାକାଶରେ ମୃତ୍ୟୁ ହୋଇଯାଏ, ତେବେ କଣ ହେବ । ବିଶେଷ କରି ଶବ ସହ କଣ ହେବ । କଣ ମହାକାଶଯାତ୍ରୀଙ୍କ ଶବକୁ ପୃଥିବୀପୃଷ୍ଠକୁ ଅଣାଯାଏ ।
ବାସ୍ତବରେ ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସାର ଏକ ପ୍ରୋଟୋକଲ ବହୁତ ସ୍ପଷ୍ଟ । ପ୍ରକୃତରେ ମାନବ ମହାକାଶ ଅନ୍ୱେଷଣ ଆରମ୍ଭ ହୋଇଥିଲା ୬୦ ବର୍ଷ ପୂର୍ବରୁ ଏବଂ ଏଥିରେ ଏବେ ଯାଏଁ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ନାସା ୨୦୨୫ରେ ଚନ୍ଦ୍ରମାକୁ ଗୋଟିଏ ଟିମ ପଠାଇବା ପାଇଁ ଯୋଜନା ରଖିଛି । ଏହାବ୍ୟତୀତ ଆସନ୍ତା ଦଶକରେ ମଙ୍ଗଳ ଗ୍ରହ ଉପରେ ମହାକାଶ ଯାତ୍ରୀଙ୍କୁ ପଠାଇବ । ଏମିତିକି ଦୁଇ ତିନି ଦଶକ ବେଳକୁ ସାଧାରଣ ଲୋକେ ବି ମହାକାଶ ଯାତ୍ରା କରିବା ନେଇ ଉତ୍କଣ୍ଠା ଜାଗୃତ ହୋଇଛି । ସମାନ ଭାବେ ରାସ୍ତାରେ କିମ୍ବା ମହାକାଶରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା ବି ବଢିଛି ।

୧୯୮୬ ଓ ୨୦୦୩ରେ ନାସା ସ୍ପେସ୍ ସଟଲ୍ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୧୪ ଜଣ ମହାକାଶଚାରୀଙ୍କର ହୋଇଥିଲା ମୃତ୍ୟୁ । ସେହିପରି ୧୯୭୧ରେ ସୋୟୁଜ୍-୧୧ ମିଶନ୍ ସମୟରେ ୩ ଜଣ ମହାକାଶଚାରୀ ଓ ୧୯୬୭ରେ ଆପୋଲୋ ୧ ଲଞ୍ଚ ପ୍ୟାଡ୍‌ରେ ଅଗ୍ନିକାଣ୍ଡ ଘଟି ୩ ଜଣ ମହାକାଶଚାରୀ ପ୍ରାଣ ହାଇରାଥିଲେ।

ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ମହାକାଶଯାତ୍ରା କେତେ ବିପଦପୂର୍ଣ୍ଣ। ଏହା ସତ୍ତ୍ବେ ୨୦୨୫ ମସିହା ସୁଦ୍ଧା ଚନ୍ଦ୍ରକୁ ଏବଂ ଆଗାମୀ ଦଶନ୍ଧିରେ ମଙ୍ଗଳକୁ ମଣିଷ ପଠାଇବାକୁ ଯୋଜନା କରିଛି ନାସା। ଭାରତ ମଧ୍ୟ ଏହି ଦୌଡ଼ରେ ସାମିଲ ହେବାକୁ ଯାଉଛି। ଭାରତ ତାର ‘ଗଗନ ଯାନ’ ମିଶନ ଆରମ୍ଭ କରିଛି। ଅନେକ ଦେଶ ଏବେ ବାଣିଜ୍ୟିକ ସ୍ପେସ୍ ଫ୍ଲାଇଟ୍ ବା ମହାକାଶ ପର‌୍ୟ୍ୟଟନ ଆରମ୍ଭ କରିବାକୁ ଯାଉଛନ୍ତି। ଆଗାମୀ ଦିନରେ ମହାକାଶ ଭ୍ରମଣ ସାଧାରଣ ଘଟଣା ହେବାକୁ ଯାଉଛି। ତେଣୁ ସେହି ଅନୁସାରେ ବିପଦ ମଧ୍ୟ ଅଧିକ ରହିବ।

ତେବେ ମହାକାଶରେ ମୃତ୍ୟୁ ହେଲେ କ’ଣ ହୁଏ?

ପ୍ରଶ୍ନ ଉଠେ, ଯଦି ମହାକାଶରେ କାହାର ମୃତ୍ୟୁ ହୁଏ, ତାଙ୍କର ମରଶରୀର କ’ଣ ହୁଏ? ଯଦି ଚନ୍ଦ୍ର କିମ୍ବା ମଙ୍ଗଳଗ୍ରହରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ ହୋଇଯାଏ, ସେମାନଙ୍କ ମରଶରୀର ସହିତ କ’ଣ କରାଯାଏ? ଏନେଇ କ’ଣ ରହିଛି ନାସାର ପ୍ରୋଟକଲ୍‌।

ନାସାର ଜଣେ ସ୍ପେସ୍ ଡାକ୍ତର କହିଛନ୍ତି, ମହାକାଶଚାରୀମାନେ କିଭଳି ସୁସ୍ଥ ରହିବେ ଓ ସୁରକ୍ଷିତ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ ସେନେଇ ତାଙ୍କ ଟିମ୍ ଦିନରାତି କାମ କରୁଛନ୍ତି । କିନ୍ତୁ ଯଦି ପୃଥିବୀ କକ୍ଷ ପଥ (ଲୋ-ଅରବିଟ୍‌)ରେ କାହାର ମୃତ୍ୟୁ ହୁଏ, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାର‌୍ୟ୍ୟ କରୁଥିବା କ୍ରୁ ସଦସ୍ୟମାନେ କିଛି ଘଣ୍ଟା ମଧ୍ୟରେ ମୃତବ୍ୟକ୍ତିଙ୍କ ଶରୀରକୁ ଏକ ସ୍ବତନ୍ତ୍ର କ୍ୟାପସୁଲରେ ପୃଥିବୀକୁ ପଠାଇ ଦେବେ। ଯଦି ଚନ୍ଦ୍ରପୃଷ୍ଠରେ କେହି ମହାକାଶଚାରୀ ପ୍ରାଣ ହରାନ୍ତି, ଅନ୍ୟ ମହାକାଶଚାରୀମାନେ ମୃତଦେହକୁ ସାଙ୍ଗରେ ଧରି କମ୍ ଦିନରେ ପୃଥିବୀକୁ ଫେରିଆସିବେ। ଏଥିପାଇଁ ପୂର୍ବରୁ ବିସ୍ତୃତ ପ୍ରୋଟକଲ୍ ସ୍ଥିର କରିଛି ନାସା। ଶୀଘ୍ର ପ୍ରତ୍ୟାବର୍ତ୍ତନ ସମୟରେ ମୃତଦେହ ସଂରକ୍ଷଣ ଅପେକ୍ଷା, ଜୀବିତ ମହାକାଶଚାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅଧିକ ପ୍ରାଥମିକତା ଦେଇଥାଏ ନାସା।

ମଙ୍ଗଳ ପୃଷ୍ଠରେ ମୃତ୍ୟୁ ହେଲେ କ’ଣ ହୁଏ?

ମଙ୍ଗଳ ଗ୍ରହକୁ ଯିବାକୁ ହେଲେ ୩୦୦ ନିୟୁତ ମାଇଲ୍ ଯାତ୍ରା କରିବାକୁ ପଡ଼ିବ। ଦୀର୍ଘ ପଥ ଯାତ୍ରାରେ ଯଦି ଜଣେ ମହାକାଶଚାରୀଙ୍କ ମୃତ୍ୟୁ ହୋଇଯାଏ, ସେକ୍ଷେତ୍ରରେ ନିୟମ ଟିକେ ଅଲଗା ରହିଛି। କ୍ରୁ ସଦସ୍ୟମାନେ ମୃତଦେହକୁ ଧରି ବୁଲି ବୁଲି ପୃଥିବୀକୁ ଫେରିବାକୁ ସମର୍ଥ ହେବେ ନାହିଁ। ଏହା ପରିବର୍ତ୍ତେ, ମିଶନ ଶେଷରେ କ୍ରୁ ସଦସ୍ୟଙ୍କ ସହିତ ମରଶରୀର ପୃଥିବୀକୁ ଫେରିବ। ଯାହାକି କିଛି ବର୍ଷ ମଧ୍ୟ ଲାଗି ଯାଇପାରେ। କ୍ରୁ ସଦସ୍ୟମାନେ ମରଶରୀରକୁ ଏକ ଅଲଗା ଚ୍ୟାମ୍ବର କିମ୍ବା ସ୍ବତନ୍ତ୍ର ବ୍ୟାଗ୍‌ରେ ସଂରକ୍ଷିତ କରି ରଖିବେ। ମହାକାଶ ଯାନ ଭିତରେ ନିୟନ୍ତ୍ରିତ ତାପମାତ୍ରା ଓ ଆର୍ଦ୍ରତାରେ ଶବ ଅନେକ ଦିନ ଯାଏ ସଂରକ୍ଷିତ ରହିପାରିବ।

ବିନା ସ୍ପେସସୁଟ୍‌ରେ ମହାକାଶରେ ପାଦ ଦେଲେ କ’ଣ ହେବ ?

ବିନା ସ୍ପେସସୁଟରେ ମହାକାଶରେ ପାଦ ଦେଲେ ମହାକାଶଚାରୀଙ୍କର ତତ୍‌କ୍ଷଣାତ ମୃତ୍ୟୁ ହେବ। ଶୂନ୍ୟ ଚାପ ଓ ସେହି ସ୍ଥାନରେ ବାୟୁ ନଥିବାରୁ ନିଶ୍ବାସ ନେବା ସମ୍ଭବ ହୋଇନଥାଏ। ରକ୍ତ ଓ ଶରୀରରେ ଥିବା ଅନ୍ୟ ତରଳ ପଦାର୍ଥ ଗରମ ହୋଇ ଫୁଟିବାକୁ ଲାଗିବ। କିଛି କ୍ଷଣ ମଧ୍ୟରେ ଚାଲିଯିବ ଜୀବନ।

ବିନା ସ୍ପେସସୁଟ୍‌ରେ ଚନ୍ଦ୍ର କିମ୍ବା ମଙ୍ଗଳରେ ପାଦ ଦେଲେ କ’ଣ ହେବ?

ଚନ୍ଦ୍ରରେ କୌଣସି ବାୟୁମଣ୍ଡଳ ନାହିଁ କହିଲେ ଚଳେ। ମଙ୍ଗଳ ଗ୍ରହରେ ବି ବହୁତ ପତଳା ବାତାବରଣ ଅଛି। ଅମ୍ଲଜାନ ବିଲକୁଲ ନାହିଁ। ତେଣୁ ଏହାର ଫଳାଫଳ ସ୍ପେସ ଏକ୍ସପୋଜର ସହିତ ପ୍ରାୟ ସମାନ। ଶ୍ବାସକ୍ରିୟା ବନ୍ଦ ହୋଇଯିବା ସହିତ ରକ୍ତ ଗରମ ହୋଇ ଫୁଟିବାକୁ ଲାଗିବ। ତେଣୁ ଏଠି ମଧ୍ୟ ମୃତ୍ୟୁ ନିଶ୍ଚିତ।

ସମାଧି ଦେବା ମଧ୍ୟ ଭଲ ବିଚାର ନୁହେଁ। କାରଣ ମଣିଷ ଶରୀରରେ ଥିବା ଜୀବାଣୁ ଓ ଅନ୍ୟାନ୍ୟ ପଦାର୍ଥ ମଙ୍ଗଳ ପୃଷ୍ଠକୁ ଦୂଷିତ କରିବାର ଆଶଙ୍କା ରହିଛି। ଏପରି କରିବା ପରିବର୍ତ୍ତେ, କ୍ରୁ ସଦସ୍ୟ ମାନେ ମରଶରୀରକୁ ଏକ ସ୍ବତନ୍ତ୍ର ବ୍ୟାଗ୍‌ରେ ସଂରକ୍ଷିତ କରି ରଖିଥାନ୍ତି ଯେପର‌୍ୟ୍ୟନ୍ତ ଏହା ପୃଥିବୀକୁ ଫେରି ନଆସିଛି।

ମହାକାଶଚାରୀମାନେ ମୃତଶରୀରକୁ କ’ଣ କରନ୍ତି ଓ ଏହାକୁ କିଭଳି ପରିଚାଳନା କରନ୍ତି ସେ ବିଷୟରେ ଅନେକ ଅଜ୍ଞ। ମହାକାଶରେ ମୃତ୍ୟୁ ହେଲେ ଶବକୁ କ’ଣ କରାଯିବ ତାହା ବଡ଼ ପ୍ରଶ୍ନ ନୁହେଁ, ପ୍ରଶ୍ନ ହେଉଛି ଅନ୍ୟ ମହାକାଶଚାରୀଙ୍କ ସୁରକ୍ଷା ଓ କ୍ଷୟକ୍ଷତିର ମୁକାବିଲା।
ତା ସହିତ ମୃତ୍ୟୁବରଣ କରିଥିବା ମହାକାଶଚାରୀଙ୍କ ଶବକୁ କିଭଳି ତାଙ୍କ ପରିବାର ପାଖରେ ପହଞ୍ଚାଯିବ ତାହା ଗୁରୁତ୍ବପୂର୍ଣ୍ଣ। ମଣିଷ ଅନ୍ୟ ଗ୍ରହରେ ଉପନିବେଶ ସ୍ଥାପନ କରବାକୁ ବିଚାର କରୁଛି। ତେଣୁ ଏଥିପାଇଁ ଦୀର୍ଘ ଯୋଜନା ଏବଂ ପ୍ରୋଟୋକଲ୍ ରହିବା ଜରୁରୀ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ