ନେପାଳରୁ ଆସିଲା ଖୁସି ଖବର : ସୁଡ଼ଙ୍ଗ ରୁ ଦୁଇ ଜଣଙ୍କୁ ଟାଣି ଆଣିଲା ସେନା

କାଠମାଣ୍ଡୁ, ୦୪/୦୯: ନେପାଳରେ ଭୟଙ୍କର ବନ୍ୟାକୁ ୧୦ ଦିନ ବିତିଥିଲେ ମଧ୍ୟ ବିପର୍ଯ୍ୟୟର ଚିତ୍ର ବଦଳିନାହିଁ । ଚାରିଆଡ଼େ ଧ୍ୱଂସର ଚିହ୍ନ । ମାଟି ତଳୁ ମିଳୁଛି ମୃତଦେହ । ନଦୀର ପ୍ରଖର ସ୍ରୋତରେ ଭାସି ଆସୁଛି ଶବ । ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୨୦୦ ଅତିକ୍ରମ କରିଥିବା ବେଳେ ୪୫୦୦ରୁ ଅଧିକ ଲୋକଙ୍କର ପତ୍ତା ମିଳୁନାହିଁ । ଆଗକୁ ମୃତ୍ୟୁସଂଖ୍ୟା ୨୦୦୦ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ।

ବିପର୍ଯ୍ୟୟ ମଧ୍ୟରେ ଅନେକ ପରିବାର ସବୁକିଛି ହରାଇ ବେସାହାରା ହୋଇପଡ଼ିଛନ୍ତି । ଅନେକ ଘର ମାଟିରେ ମିଶିଯାଇଛି । ତଥାପି ଧ୍ୱଂସାବଶେଷ ଭିତରେ ଜୀବନର ସନ୍ଧାନ ଜାରି ରଖିଛନ୍ତି ଉଦ୍ଧାରକାରୀ । ଆଉ ଏହି ଅଭିଯାନ ଭିତରୁ ଆସିଛି ଆଶା ଜଗାଇବା ଭଳି ଖବର ।

ସୁଡ଼ଙ୍ଗ ଭିତରୁ ମିଳିଲା ଜୀବନର ସନ୍ଧାନ । ତ୍ରିଶୂଳୀ ଅଞ୍ଚଳର ୩-ଏ ଜଳବିଦ୍ୟୁତ ପ୍ରକଳ୍ପର ଏକ ସୁଡ଼ଙ୍ଗରୁ ଦୁଇ ଜଣ କର୍ମଚାରୀଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଦୁଇ ଜଣ ହେଉଛନ୍ତି ଯାନ୍ତ୍ରିକ ବିଭାଗର ଫୋରମ୍ୟାନ୍ ସଞ୍ଜୟ ଶାହ ଏବଂ ଯାନ୍ତ୍ରିକ ବିଭାଗର ସୁପରଭାଇଜର କବୀର ମହାଜନ ।

ଶୁକ୍ରବାର ସୁଡ଼ଙ୍ଗ ଭିତରୁ ପ୍ରଥମେ ସଞ୍ଜୟଙ୍କୁ ବାହାରକୁ ଅଣାଯାଇଥିଲା । ପରେ ଉଦ୍ଧାରକାରୀମାନେ କବୀରଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାର କରିଥିଲେ ।

ଉଦ୍ଧାରକାରୀଙ୍କ କହିବା ଅନୁସାରେ, ସୁଡ଼ଙ୍ଗ ଭିତରେ କେହି ଜୀବିତ ଅଛନ୍ତି କି ନାହିଁ, ତାହା ନେଇ ପ୍ରଥମେ କୌଣସି ନିଶ୍ଚିତ ସୂଚନା ନଥିଲା । ତେବେ ସୁଡ଼ଙ୍ଗ ଭିତରୁ ଶବ୍ଦ ଶୁଣିବା ପରେ ଉଦ୍ଧାରକାରୀ ଦଳର ଆଶା ବଢ଼ିଥିଲା । ତୁରନ୍ତ ନେପାଳ ସେନା ଓ ପୁଲିସର ଟିମ୍ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରି ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ତେବେ ସୁଡ଼ଙ୍ଗର ଅନ୍ୟ କୌଣସି ସ୍ଥାନରେ ଆଉ କେହି ଫସି ରହିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଏବେବି ତଲାସୀ ଓ ଉଦ୍ଧାର ଅଭିଯାନ ଚାଲିଛି ।

ସୂଚନା ଅନୁସାରେ, ଅଗଷ୍ଟ ୨୬ରେ ନେପାଳରେ ପ୍ରବଳ ବର୍ଷା ପରେ ତ୍ରିଶୂଳୀ ନଦୀର ଜଳସ୍ତର ହଠାତ୍ ବଢ଼ିଯାଇଥିଲା । ଭୟଙ୍କର ବନ୍ୟା ଯୋଗୁଁ ନଦୀକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଏକାଧିକ ଜଳବିଦ୍ୟୁତ ପ୍ରକଳ୍ପ ପ୍ରଭାବିତ ହୋଇଥିଲା । ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ନେପାଳ ସେନା, ପୁଲିସ ଓ ଉଦ୍ଧାରକାରୀ ଦଳ ବିଭିନ୍ନ ସୁଡ଼ଙ୍ଗରେ ଅଟକିଥିବା ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା କାମ ଜାରି ରଖିଛନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ