ଦେଢସହ ବର୍ଷରୁ ଅଧିକ ହେବ ସେମାନଙ୍କ ପାଦ ପଡିନି ଉତ୍କଳର ମାଟିରେ । ଏ ମାଟିର ନିଆରା ବାସ୍ନାକୁ ଆଘ୍ରାଣ କରିବାର ସୁଯୋଗ ମଧ୍ୟ ତାଙ୍କୁ ମିଳିନି । ଉତ୍କଳର ଭିଜା ଭିଜା ମାଟିକୁ ଚୁମ୍ବନ କରୁଥିବା କାଶତଣ୍ଡୀର ଧଳା ଫରଫର ଫୁଲକୁ ସେମାନେ କେବେ ଦେଖିନାହାନ୍ତି ଆଉ ଠାକୁରଙ୍କ ପାଖରେ ବାଜୁଥିବା ଘଣ୍ଟଘଣ୍ଟାର ଶବ୍ଦ ମଧ୍ୟ ସେମାନଙ୍କ କାନରେ କେବେ ପଡିନି । ପୂର୍ବପୁରୁଷଙ୍କ ଠାରୁ ଶିଖିଥିବା ଓଡ଼ିଆ ଭାଷାକୁ ମଧ୍ୟ ଭୂଲିଗଲେଣି ସେମାନେ । ହେଲେ ଭୂଲିନାହାନ୍ତି ଉତ୍କଳୀୟ ଚଳଣୀ ଓ ପରମ୍ପରା । ପୂର୍ବପୁରୁଷଙ୍କଠାରୁ ଶୁଣିଥିବା ଆମେ ଓଡ଼ିଆ … ଆମ ପରବ ଭାରି ବଢ଼ିଆକୁ ସେମାନେ ଏବେ ବି ମନେ ରଖିଛନ୍ତି ଆଉ ତାହାକୁ ପ୍ରମାଣିତ କରିବା ପାଇଁ ଶତଚେଷ୍ଟା କରୁଛନ୍ତି ଆଉ ଉତ୍କଳର ସନ୍ତାନ ବୋଲି ଗର୍ବ ମଧ୍ୟ କରୁଛନ୍ତି । ଏମାନେ ବାଂଲାଦେଶ ସିଲହଟ୍ ମୌଳିବଜାର ଜିଲ୍ଲା ଶ୍ରୀମଙ୍ଗଲ୍ ସବଡିଭିଜନରେ ବାସ କରୁଛନ୍ତି । ପ୍ରାୟ ୪ ହଜାରରୁ ଅଧିକ ଓଡ଼ିଆ ଲୋକ ଏଠାରେ ରହୁଛନ୍ତି । ବୋଧହୁଏ ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ ପରେ ବ୍ରିଟିଶ ସରକାର ଓଡ଼ିଶାର କେଉଁ ଜିଲ୍ଲାରୁ ଏହି ଓଡ଼ିଆଙ୍କ ପୂର୍ବପୁରୁଷଙ୍କୁ ଚା’ ବଗିଚାରେ ଶ୍ରମିକ ଭାବେ କାମ କରିବାକୁ ନେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ପରିବାର ଏବେ ଭାରତର ତ୍ରିପୁରାରେ ବସବାସ କରୁଛନ୍ତି । ଅନ୍ୟମାନେ ବାଂଲାଦେଶରେ ଦେଢ଼ ଶହ ଧରି ବାସ କରୁଥିବା କୁହାଯାଏ । ତେବେ ଏହି ଓଡ଼ିଆମାନେ ସେଠାରେ ସରକାରୀ କାଗଜପତ୍ରରେ ‘ବୋନାଜ୍ କମ୍ୟୁନିଟି’ ଭାବରେ ପରିଚିତ । ଏବେ ବି ପ୍ରାୟ ସମସ୍ତେ ଚା’ ବଗିଚାର ଶ୍ରମିକ ଭାବେ କାମ କରୁଛନ୍ତି । ସେମାନଙ୍କ ସାକ୍ଷରତା ହାର ମାତ୍ର ୧୦ ପ୍ରତିଶତ । ଅଳ୍ପ କିଛି ଲୋକ ଧର୍ମ ପରିବର୍ତ୍ତନ କରି ଖିରସ୍ତାନୀ ମଧ୍ୟ ହୋଇଛନ୍ତି । ଧୀରେ ଧୀରେ ନିଜ ମାତୃଭାଷା ଓଡ଼ିଆକୁ ଭୁଲି ସେମାନେ ବଂଗଳା କହୁଛନ୍ତି । ମାତ୍ର ଉତ୍କଳର ରକ୍ତ ଏବେ ବି ସେମାନଙ୍କ ଦେହରେ ପ୍ରବାହିତ ହେଉଛି । ନିଜ ମୂଳ ଭୂଖଣ୍ଡରୁ ଛିନ୍ନ ହୋଇ ପଡିଥିବା ଏମାନଙ୍କୁ ଓଡ଼ିଶାରେ କେହି କେବେ ମନେ ବି ପକାଇ ନାହାଁନ୍ତି । ତଥାପି ସେମାନେ ଉତ୍କଳର କଳା, ସଂସ୍କୃତିର ଜାବୁଡ଼ି ଧରି ଗର୍ବ ଅନୁଭବ କରୁଛନ୍ତି ।


