ଅଙ୍କାରା: ମକ୍କା ସାମରିକ ମେଣ୍ଟକୁ ନେଇ ଭାରତକୁ ପରୋକ୍ଷ ଚେତାବନୀ ଦେଇଛି ତୁର୍କୀ। ସମୟ ଆସିଲେ ଏହି ମେଣ୍ଟର ପ୍ରକୃତ ଶକ୍ତି ଦେଖିବାକୁ ମିଳିବ ବୋଲି କହିଛନ୍ତି ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ। ଭାରତ ଓ ଗ୍ରୀସ୍ ଭଳି ଦେଶ ଏହି ସାମରିକ ମେଣ୍ଟକୁ ହାଲୁକା ଭାବେ ନେଉଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ଏହା ବିଶ୍ୱ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ ଦାବି କରିଛନ୍ତି।
ଏକ ସାକ୍ଷାତକାରରେ ଫିଦାନ କହିଛନ୍ତି, ମକ୍କା ସାମରିକ ଚୁକ୍ତିକୁ ନେଇ କିଛି ଦେଶ ଓ ଗଣମାଧ୍ୟମରେ ଉପହାସ କରାଯାଉଛି। ଭାରତ ଏହାକୁ ବିଶେଷ ଗୁରୁତ୍ୱ ଦେଉନାହିଁ। ତେବେ ଏହି ଚୁକ୍ତିର ଗମ୍ଭୀରତା ଓ ପ୍ରଭାବକୁ ଅଣଦେଖା କରିବା ଉଚିତ ନୁହେଁ। ଆଗାମୀ ଦିନରେ ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
କ’ଣ କହିଲେ ହାକାନ ଫିଦାନ?
ସାକ୍ଷାତକାର ସମୟରେ ମକ୍କା ଚୁକ୍ତିକୁ ଭାରତ ଗୁରୁତ୍ୱ ଦେଉନଥିବା ପ୍ରସଙ୍ଗ ଉଠିଥିଲା। ଏହାର ଉତ୍ତରରେ ଫିଦାନ କହିଥିଲେ ଯେ ଚୁକ୍ତି ସ୍ୱାକ୍ଷର ହେବାର ମାତ୍ର ତିନି ମାସ ହୋଇଛି। ଏହାକୁ ନେଇ ହେଉଥିବା ଆଲୋଚନା ଓ ସମାଲୋଚନା ପଛରେ କିଛି ଦେଶର ମନରେ ଥିବା ଆଶଙ୍କା ପ୍ରତିଫଳିତ ହେଉଛି।
ତାଙ୍କ କହିବା ଅନୁସାରେ, ଏହି ମେଣ୍ଟକୁ ନେଇ ଏବେ ଯେଉଁଭଳି ଆଲୋଚନା ହେଉଛି, ତାହା ଏହାର ଗୁରୁତ୍ୱକୁ ଦର୍ଶାଉଛି। ଭବିଷ୍ୟତରେ ଏହାର ପ୍ରଭାବ ସମସ୍ତେ ଦେଖିବେ ବୋଲି ସେ ମତ ଦେଇଛନ୍ତି।
ଭାରତ, ଗ୍ରୀସ୍ ଓ ଇସ୍ରାଏଲକୁ ନେଇ ମନ୍ତବ୍ୟ
ତୁର୍କୀ ବୈଦେଶିକ ମନ୍ତ୍ରୀ ନିଜ ସାକ୍ଷାତକାରରେ ଭାରତ, ଗ୍ରୀସ୍ ଓ ଇସ୍ରାଏଲ ଭଳି ଦେଶର ନାଁ ନେଇଥିଲେ। ଏହି ଦେଶଗୁଡ଼ିକର ଆଭିମୁଖ୍ୟ ଦେଖିଲେ ମକ୍କା ମେଣ୍ଟର ଗୁରୁତ୍ୱ ବୁଝିହେବ ବୋଲି ସେ କହିଥିଲେ। ଗଣମାଧ୍ୟମ ଜରିଆରେ ଏହି ଚୁକ୍ତିକୁ ନେଇ ଭୁଲ ତଥ୍ୟ ଓ ଅପପ୍ରଚାର କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
କ’ଣ ରହିଛି ମକ୍କା ସାମରିକ ଚୁକ୍ତିରେ?
ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଏହି ସାମରିକ ଚୁକ୍ତି ହୋଇଛି। ଏହା ଅନୁସାରେ, ଚୁକ୍ତିରେ ସାମିଲ ଥିବା ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ତାହାକୁ ସମସ୍ତ ସଦସ୍ୟ ଦେଶଙ୍କ ଉପରେ ଆକ୍ରମଣ ଭାବେ ବିଚାର କରାଯିବ। ଏଭଳି ପରିସ୍ଥିତିରେ ପରସ୍ପରକୁ ସାମରିକ ସହଯୋଗ ଯୋଗାଇ ଦେବାକୁ ତିନି ଦେଶ ରାଜି ହୋଇଛନ୍ତି।
ତେବେ ଏହି ଚୁକ୍ତିକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ସମୟରେ ତୁର୍କୀ ଓ ପାକିସ୍ତାନର ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ହୋଇଥିଲା। ପ୍ରାରମ୍ଭରେ ଉଭୟ ଦେଶ କେବଳ ବୟାନ ଜରିଆରେ ସାଉଦିକୁ ସମର୍ଥନ ଜଣାଇଥିଲେ। ପରେ ଚାପ ବଢ଼ିବାରୁ କିଛି ସୈନ୍ୟ ପଠାଯାଇଥିବା ଦାବି କରାଯାଇଛି।
ଏଭଳି ସ୍ଥିତିରେ ମକ୍କା ସାମରିକ ଚୁକ୍ତି କେତେ ଦୂର କାର୍ଯ୍ୟକାରୀ ହେବ ଏବଂ ଏହା ଦକ୍ଷିଣ ଏସିଆର ଭୂରାଜନୈତିକ ସମୀକରଣ ଉପରେ କି ପ୍ରଭାବ ପକାଇବ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

