ଗଞ୍ଜାମ ଗଲେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କଲେ ବନ୍ୟା ସ୍ଥିତିର ସମୀକ୍ଷା

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଗଞ୍ଜାମ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି। ପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥାନୀୟ ପ୍ରଶାସନ ସହ ସ୍ଥିତି ସମୀକ୍ଷା କରିବେ।

ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ସାମିଲ ହୋଇଛନ୍ତି। ବିଶେଷକରି ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଫୋକସ୍ ରହିବ। କେତେ ଘର ଭାଙ୍ଗିଛି ଏବଂ କେଉଁ ଅଞ୍ଚଳରେ ଅଧିକ କ୍ଷତି ହୋଇଛି, ତାହାର ଅନୁଧ୍ୟାନ କରିବେ।

ଆନ୍ଧ୍ରପ୍ରଦେଶରେ ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଏହାର ପ୍ରଭାବରୁ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷକରି ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ଯାତାୟାତଠାରୁ ଆରମ୍ଭ କରି ସାଧାରଣ ଜୀବନଯାତ୍ରା ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି।

ସେହିପରି ଗଜପତି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି। ଫଳରେ ଅନେକ ଅଞ୍ଚଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବାତ୍ୟାର ପ୍ରଭାବ କମିଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ସମସ୍ୟା ଏବେ ବି ଟଳିନାହିଁ। ଘରଦ୍ୱାର ନଷ୍ଟ ହେବା ସହ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରିଲିଫ୍ ବଣ୍ଟନ, ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଏବଂ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ହେବାର ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ