ଭୁବନେଶ୍ୱର, ୩/୧୧ : ଓଡ଼ିଶାକୁ ପୁଣି ବାତ୍ୟା ଭୟ! ନଭେମ୍ବର ୧୩ରୁ ୧୫ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼, ପ୍ରବଳ ପବନ, ଉଚ୍ଚ ଜୁଆର ଏବଂ ଲଘୁଚାପ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଏକ ପଞ୍ଜିକାରେ ଆକଳନ କରାଯାଇଛି। ଏହି ଗଣନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ପଞ୍ଜିକାରେ ଉଲ୍ଲେଖ ହୋଇଥିବା କିଛି ତାରିଖର ପାଣିପାଗ ଆକଳନ ସହ ସାମୁଦ୍ରିକ ଝଡ଼ର ସମୟ ମେଳ ଖାଇଥିବା ଦାବି କରାଯାଉଛି। ଏହାପରେ ନଭେମ୍ବର ମଧ୍ୟଭାଗରେ ପୁଣି ଏକ ବାତ୍ୟା ଆସିବ କି ବୋଲି ଆଲୋଚନା ଆରମ୍ଭ ହୋଇଛି।
ଏ ସମ୍ପର୍କରେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ନିଜର ମତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ପାଣିପାଗ ବିଭାଗ ସାଧାରଣତଃ ବାତ୍ୟା କିମ୍ବା ବର୍ଷା ହେବାର କିଛିଦିନ ପୂର୍ବରୁ ପୂର୍ବାନୁମାନ ଜାରି କରିଥାଏ। ଅନ୍ୟପକ୍ଷରେ ଜ୍ୟୋତିଷ ଗଣନାରେ ବାତ୍ୟା, ବର୍ଷା ଓ ଭୂକମ୍ପ ସମ୍ପର୍କିତ ଆକଳନ ବହୁ ପୂର୍ବରୁ କରାଯାଇଥାଏ ବୋଲି ସେ କହିଛନ୍ତି।
ସଂକ୍ରାନ୍ତି ତିଥି, ରବି ସଂକ୍ରମଣ ଏବଂ ଗ୍ରହମାନଙ୍କର ସ୍ଥିତିକୁ ଆଧାର କରି ପାଣିପାଗ ସମ୍ପର୍କରେ ଗଣନା କରାଯାଏ ବୋଲି ତାଙ୍କ ମତ।
ପଞ୍ଜିକାରେ କ’ଣ ରହିଛି ଆକଳନ?
ଅସଲି ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ୧୩ରୁ ୧୫ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼, ଲଘୁଚାପ ଏବଂ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ କରାଯାଇଥିବା ଦାବି ହୋଇଛି।
ଏହାସହ ଅକ୍ଟୋବର ୨୫ରୁ ୨୯ ଏବଂ ଅକ୍ଟୋବର ୩୧ରୁ ନଭେମ୍ବର ୩ ମଧ୍ୟରେ ବାତ୍ୟା ସମ୍ପର୍କିତ ଯେଉଁ ଗଣନା କରାଯାଇଥିଲା, ତାହା ସତ ହୋଇଥିବା ପଞ୍ଜିକା ପକ୍ଷରୁ ଦାବି କରାଯାଉଛି।
ତେବେ ନଭେମ୍ବର ୧୩ରୁ ୧୫ ମଧ୍ୟରେ ପ୍ରକୃତରେ କୌଣସି ବାତ୍ୟା ସୃଷ୍ଟି ହେବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ପାଣିପାଗ ବିଭାଗର କୌଣସି ନିଶ୍ଚିତ ସୂଚନା ନାହିଁ। ତେଣୁ ପଞ୍ଜିକାର ଏହି ଆକଳନକୁ ବୈଜ୍ଞାନିକ ପାଣିପାଗ ପୂର୍ବାନୁମାନ ଭାବେ ଗ୍ରହଣ କରିବା ଉଚିତ ନୁହେଁ।

