ଭୁବନେଶ୍ୱର, ୧୮/୦୯: UPI ଚାର୍ଜକୁ ନେଇ ରାଜନୀତି ତେଜ। ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ UPI ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ନବୀନ କହିଛନ୍ତି ଯେ, UPI ଲେନଦେନକୁ ନେଇ ଯେଉଁ ନୂଆ ବ୍ୟବସ୍ଥା ଆସୁଛି, ସେଥିରେ କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ ଦୋକାନୀଙ୍କ ସ୍ୱାର୍ଥ ଏବଂ ସୁରକ୍ଷାକୁ ପ୍ରାଥମିକତା ମିଳିବା ଆବଶ୍ୟକ। ନବୀନଙ୍କ ଏହି ମନ୍ତବ୍ୟ UPI ଉପରେ ନୂଆ Merchant Discount Rate (MDR) ବ୍ୟବସ୍ଥାକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆସିଛି।
ସୂଚନା ଅନୁସାରେ, ଦିଲ୍ଲୀରେ ପ୍ରାୟ ୧୦ ଦିନ ରହିବା ପରେ ଶୁକ୍ରବାର ଭୁବନେଶ୍ୱର ଫେରିଛନ୍ତି ନବୀନ ପଟ୍ଟନାୟକ। ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ପହଞ୍ଚିଥିଲେ।
ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବିମାନବନ୍ଦରରେ ନବୀନଙ୍କୁ ସ୍ୱାଗତ କରିଥିଲେ। ଦିଲ୍ଲୀ ରହଣି ସମୟରେ ନବୀନ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା ନେଇ ମଧ୍ୟ ସୂଚନା ମିଳିଛି।
ଅନ୍ୟପଟେ, UPIର ନୂଆ MDR ବ୍ୟବସ୍ଥା ଅନୁସାରେ ନିର୍ଦ୍ଦିଷ୍ଟ ₹୨,୦୦୦ରୁ ଅଧିକ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ରେ ୦.୪% MDR ଲାଗୁ ହେବ। ତେବେ ସରକାରଙ୍କ କହିବା ଅନୁସାରେ, ବ୍ୟକ୍ତି-ରୁ-ବ୍ୟକ୍ତି UPI ଲେନଦେନ ମାଗଣା ରହିବ ଏବଂ ପ୍ରାୟ ୯୬% ମର୍ଚ୍ଚାଣ୍ଟ ଲେନଦେନ ମଧ୍ୟ ପ୍ରଭାବିତ ହେବ ନାହିଁ। ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଜିରୋ-MDR ବ୍ୟବସ୍ଥା ରହିଛି।
ଏହି ନୂଆ UPI ବ୍ୟବସ୍ଥାକୁ ନେଇ ବ୍ୟବସାୟୀ ମହଲରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ଏବେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ଓଡ଼ିଶାରେ ମଧ୍ୟ ପ୍ରସଙ୍ଗଟି ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି।

