ଭୁବନେଶ୍ୱର, ୧୯/୦୯: ଆସୁଛି ଆଉ ଏକ ପାଣିପାଗ ପରିବର୍ତ୍ତନ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ବଢ଼ିବା ଆଶଙ୍କା ରହିଛି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ। ପ୍ରଥମ ଦିନଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଥିବାବେଳେ, ୨୩ ତାରିଖରୁ ବର୍ଷାର ପ୍ରକୋପ ବଢ଼ିପାରେ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ଆଶଙ୍କା କରାଯାଉଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ରୁ ବର୍ଷା ଆରମ୍ଭ ହୋଇ ୨୩ରୁ ଏହାର ପ୍ରଭାବ ବଢ଼ିପାରେ।
ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରିପାରେ। ସେଠାରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଦିଗକୁ ଗତି କରିପାରେ।
ଲଘୁଚାପର ଗତିପଥ ଏବଂ ଏହାର ପରବର୍ତ୍ତୀ ରୂପ ନେଇ ବର୍ତ୍ତମାନ ସ୍ଥିତି ଉପରେ ନଜର ରଖାଯାଇଛି।
୨୨ରୁ ବର୍ଷା, ୨୫ ଯାଏ ପ୍ରଭାବ
କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତରେ, ୨୨ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ। ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବାର ଆଶଙ୍କା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ହୋଇନାହିଁ।
ସେହିପରି ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁଙ୍କ ଆକଳନ ଅନୁସାରେ ମଧ୍ୟ ୨୨ରୁ ରାଜ୍ୟରେ ବର୍ଷା ବଢ଼ିପାରେ। ୨୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି। ତେବେ ଲଘୁଚାପର ନିର୍ଦ୍ଦିଷ୍ଟ ଗତିପଥ ଓ ଉପକୂଳ ଅତିକ୍ରମ ସ୍ଥାନ ଏଯାଏ ସ୍ପଷ୍ଟ ହୋଇନାହିଁ।

