ପାଖେଇ ଆସିଲା ବାତ୍ୟା ଅକଭାନ : ରାଜ୍ୟରେ ଆରମ୍ଭ ହେଲା ପ୍ରବଳ ଝଡ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ‘ଅକଭାନ୍‌’! ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟରେ ନୁହେଁ, ବରଂ ଓଡ଼ିଶା ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କିଛି ପାଣିପାଗ ଆକଳନରୁ ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ୍‌ ସମ୍ଭାବନା ରହିଛି। ଏପରିକି ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି। ତେବେ ବାତ୍ୟାର ଗତିପଥ ଏବଂ ଲ୍ୟାଣ୍ଡଫଲ୍‌ ସ୍ଥାନକୁ ନେଇ ଏବେ ବି ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି।

କିଛି ପାଣିପାଗ ମଡେଲ୍‌ ଅନୁସାରେ, ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି। ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ ରହିଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଦେଖାଦେଇପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଇଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ ଅନୁସାରେ, ନଭେମ୍ବର ୧୯ ତାରିଖରେ ସର୍ବାଧିକ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। କିଛି ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହେବାର ଆଶଙ୍କା ରହିଛି।

ତାଙ୍କ ଆକଳନ ଅନୁସାରେ, ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଧୀରେ ଧୀରେ ଦୁର୍ବଳ ହୋଇଯିବ। ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟରକୁ ଖସିଆସିବ। ସନ୍ଧ୍ୟା ସୁଦ୍ଧା ଏହା ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିପାରେ।

ଅନ୍ୟପଟେ, ଆମେରିକା ନୌସେନାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲୁସି) ଏହି ବାତ୍ୟାର ପବନ ବେଗକୁ ନେଇ ଭିନ୍ନ ଆକଳନ କରିଛି। ଏହାର ରିପୋର୍ଟ ଅନୁସାରେ, ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୭୪ କିଲୋମିଟର ରହିପାରେ।

ତେବେ ଏହି ସବୁ ଆକଳନ ମଧ୍ୟରେ ଭିନ୍ନ ମତ ରଖିଛନ୍ତି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ। ତାଙ୍କ କହିବା ଅନୁସାରେ, ବାତ୍ୟା ଏବେ ଦୁର୍ବଳ ହେବାରେ ଲାଗିଛି। ଏହାର ମେଘପୁଞ୍ଜ ମଧ୍ୟ ଭାଙ୍ଗିବା ଆରମ୍ଭ କରିଛି। ବାୟୁମଣ୍ଡଳରେ ୱିଣ୍ଡ୍‌ ସିୟର୍‌ର ପ୍ରଭାବ ଅଧିକ ଥିବାରୁ ବାତ୍ୟା ଆହୁରି ଦୁର୍ବଳ ହୋଇପାରେ। ତେଣୁ ଓଡ଼ିଶାରେ ବଡ଼ଧରଣର ବର୍ଷା କିମ୍ବା ପବନ ହେବାର ଆଶଙ୍କା ନାହିଁ।

ସେହିପରି ନଭେମ୍ବର ୧୯ ଓ ୨୦ ତାରିଖରେ ପୁରୀ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ। ଏହି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ବାତ୍ୟାର ଗତିପଥକୁ ନେଇ ନିଜ ଆକଳନ ରଖିଛନ୍ତି। ତାଙ୍କ ମତରେ, କଳିଙ୍ଗପଟ୍ଟନମ୍‌ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ। ସେହି ସମୟରେ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୮୩ କିଲୋମିଟର ରହିବା ସମ୍ଭାବନା ରହିଛି। ପରେ ଏହା ଉତ୍ତର ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହୋଇଯିବ।

ତେବେ ବାତ୍ୟା ‘ଅକଭାନ୍‌’ର ପ୍ରକୃତ ଗତିପଥ, ଲ୍ୟାଣ୍ଡଫଲ୍‌ ସ୍ଥାନ ଓ ତୀବ୍ରତାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ତେଣୁ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କ ସୂଚନା ଉପରେ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ