ଭୟାନକ ବିମାନ ଦୁର୍ଘଟଣା : ରାସ୍ତାରେ ଖସି ବ୍ଲାଷ୍ଟ୍ କଲା ପ୍ଲେନ, ୯ ମୃତ

୨/୧୧ : ଆମେରିକାର ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରୁ ଖସି ରାସ୍ତାରେ ପଡ଼ିଲା ବିଜିନେସ୍ ଜେଟ୍ । ଏହାପରେ ବିମାନରେ ଲାଗିଥିଲା ଭୟଙ୍କର ନିଆଁ । ଘଟଣାସ୍ଥଳରେ ହିଁ ୯ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ଆମେରିକାର ପରିବହନ ସଚିବ ସନ୍ ଡଫି ଏହି ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଲିୟରଜେଟ୍-୬୦ ନାମକ ଏହି ବିଜିନେସ୍ ଜେଟ୍ ଟେକ୍ସାସର ଅଷ୍ଟିନରୁ ବାହାମାସ୍ ଅଭିମୁଖେ ଯାତ୍ରା କରୁଥିଲା । ଯାତ୍ରା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସନ୍ଦେହ କରାଯାଉଛି । ଏହାପରେ ବିମାନଟି ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା । ରାସ୍ତାରେ ପଡ଼ିବା ମାତ୍ରେ ଏଥିରେ ଭୟଙ୍କର ନିଆଁ ଲାଗିବା ସହ ବିସ୍ଫୋରଣ ଘଟିଥିଲା ।
ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ଚାରିଆଡ଼େ ନିଆଁ ଓ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । ବିମାନଟି ଜନବସତି ନିକଟରେ ଖସିପଡ଼ିଥିବାରୁ ଆଖପାଖର କିଛି ଘର ମଧ୍ୟ ବିପଦରେ ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ ଘରଗୁଡ଼ିକ ବଡ଼ କ୍ଷତିରୁ ବର୍ତ୍ତିଯାଇଛି । ନଚେତ୍ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରିଥାନ୍ତା ।
ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି । ଫେଡେରାଲ ଆଭିଏସନ୍ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପରିଚୟ ମଧ୍ୟ ଏଯାଏଁ ସାର୍ବଜନୀନ କରାଯାଇନାହିଁ । ସମସ୍ତଙ୍କ ପରିଚୟ ଯାଞ୍ଚ ପରେ ସେମାନଙ୍କ ପରିବାରକୁ ଖବର ଦିଆଯିବ ବୋଲି ଜଣାପଡ଼ିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ