33.6 C
Odisha
Saturday, March 7, 2026

ରିଙ୍କୁଙ୍କ ବ୍ୟାଟିଂ ଦେଖି ମନେ ପଡିଲେ ତେଓ୍ୱାତିଆ, ତିନି ବର୍ଷ ତଳେ ଘଟିଥିଲା ସମାନ ଘଟଣା

ଶେଷ ଓଭର । ଏକ ପ୍ରକାର ମ୍ୟାଚ୍ ହାରି ସାରିଥିଲା କୋଲକାତା ନାଇଟ୍ ରାଇଡର୍ସ । ମାତ୍ର 6 ବଲ୍ ବାକିଥିଲା । ଆଉ ଦରକାର ଥିଲା 29 ରନ୍ । ଅସମ୍ଭବ ଥିବା ବିଜୟ । କିନ୍ତୁ ଅନିଶ୍ଚିତତାର ଖେଳ କ୍ରିକେଟ୍ । ଲଗାତର 5 ଛକା ମାରିଲେ କେକେଆର ବ୍ୟାଟର୍ ରିଙ୍କୁ ସିଂ । ଜିତାଇଲେ ମ୍ୟାଚ୍ ଏବଂ ଦୋହରାଇଲେ ତିନି ବର୍ଷ ତଳର ଇତିହାସ ।

ରବିବାର ଆଇପିଏଲରେ ଖେଳାଯାଇଥିଲା ଜବରଦସ୍ତ ମୁକାବିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ଉଭୟ ଶକ୍ତିଶାଳୀ ଟିମ୍ । ହେଲେ ଗୁଜୁରାଟର ପଲ୍ଲା ଥିଲା ଭାରି । ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଗୁଜୁରାଟ । 20 ଓଭରରେ ଗୁଜୁରାଟ ବ୍ୟାଟର୍ ବାଡେଇଥିଲେ ବିଶାଳ 204 ରନ୍ । ଦଳ ପକ୍ଷରୁ ସର୍ବାଧିକ ସ୍କୋରର୍ ଥିଲେ ବିଜୟ ଶଙ୍କର । 24 ବଲରୁ ସେ ଖେଳିଥିଲେ 63 ରନର ପାଳି ।

ବଡ ସ୍କୋର ପରେ ଗୁଜୁରାଟ ଖେଳାଳି ଫିଲ୍ କରୁଥିଲେ ରିଲାକ୍ସ । କାରଣ ଟିମରେ ଥିଲେ ରଶିଦ ଖାନଙ୍କ ଭଳି ଷ୍ଟାର୍ ବୋଲର । ତେବେ 205 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ୱାଇଥିଲା ଶାହରୁଖଙ୍କ ଟିମ୍ । କିନ୍ତୁ ଫେଲ୍ ମାରିଥିଲେ ଦୁଇ ଓପନର୍ । ହେଲେ ଭେଙ୍କଟେଶ ଆୟର ଓ ନିତେଶ ରାନା ଭଲିଥିଲେ ନୂଆ ଜୋସ୍ । ଷ୍ଟାଡିୟମରେ କରିଥିଲେ ଛକା ଓ ଚଉକାର ବର୍ଷା । ଦଳ ବିଜୟ ଆଡକୁ ବଢୁଥିବା ବେଳେ ଉଭୟଙ୍କୁ ଶିକାର କରିଥିଲେ ଆଲଜାରି ଜୋଶେଫ୍ । ମ୍ୟାଚରେ ବଦଳିଥିଲା ମୋଡ । ଲାଗୁଥିବା କେକେଆର ହାତରୁ ସେ ଛଡାଇନେଲେ ବିଜୟ । ଏହାପରେ ରଶିଦ ଖାନଙ୍କ ହାଟ୍ରିକ୍ କୋଲକାତାର ଭାଙ୍ଗିଦେଇଥିଲା ବ୍ୟାଟିଂ ମେରୁଦଣ୍ଡ । ନିଶ୍ଚୟ ବିଜୟ ଆଡକୁ ମୁହାଁଉଥିଲା ଗୁଜୁରାଟ୍ ।

ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଁଚି ସାରିଥିଲା । ଲାଷ୍ଟ୍ ଓଭରରେ କେକେଆରକୁ ଦରକାର ଥିଲା 29 ରନ୍ । କ୍ରିଜରେ ଥିଲେ ରିଙ୍କୁ ସିଂ ଓ ଉମେଶ ଯାଦବ । ଓଭରର ଫାଷ୍ଟ ବଲରେ ସିଙ୍ଗିଲ ନେଇଥିଲେ ଉମେଶ । ବ୍ୟାଟିଂ ପାଇଁ ଆସିଯାଇଥିଲେ ରିଙ୍କୁ  । ତାଙ୍କଠୁ ବେଶି କିଛି ଆଶା ରଖିନଥିଲେ କେକେଆର ଫ୍ୟାନ୍ ।  କିନ୍ତୁ ଅନିଶ୍ଚିତତାର ଖେଳ କ୍ରିକେଟ । ଦ୍ୱିତୀୟ ବଲରେ ସେ ଲଗାଇଥିଲେ ବିଶାଳ ଛକା । ଏହା ପରକୁ ପର ଲଗାତାର 4 ଛକା ଲଗାଇଥିଲେ ସେ । ଏମିତି ଭାବେ ଶେଷ ଓଭରରେ ତାଙ୍କ ବ୍ୟାଟରୁ ବାହାରିଥିଲା 5 ଛକା । ଏହାସହ ମ୍ୟାଚ୍ ଜିତି ଯାଇଥିଲା କୋଲକାତା ଟିମ୍ । ହାରୁଥିବା ମ୍ୟାଚକୁ ନିଜ ଦମରେ ଜିତାଇଥିଲେ ରିଙ୍କୁ ଓ ପାଲଟିଯାଇଥିଲେ ହିରୋ ।

ତେବେ ରିଙ୍କୁଙ୍କ ଇନିଂସ ପରେ ଦୋହରିଛି ଇତିହାସ । ଯାହା 3 ବର୍ଷ ତଳେ କରି ଦେଖାଇଥିଲେ ବର୍ତ୍ତମାନର ଗୁଜୁରାଟ୍ ଖେଳାଳି ରାହୁଲ ତେଓ୍ୱାତିଆ । ସେତେବେଳେ ସେ ରାଜସ୍ଥାନ୍ ପାଇଁ ଖେଳୁଥିଲେ । 2020ର ଏକ ମ୍ୟାଚରେ ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ଖେଳଥିଲେ ସମାନ ଇନିଂସ । 18 ତମ ଓଭରରେ ପଞ୍ଜାବ ହାତରୁ ମ୍ୟାଚ୍ ଛଡାଇନେଇଥିଲେ ତେଓ୍ୱାତିଆ । ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ବଲରେ ସେ ଲଗାଇଥିଲେ ଛକା । ବଦଳାଇଦେଇଥିଲେ ମ୍ୟାଚର ରୂପ । ଓ ରାଜସ୍ଥାନକୁ ଦେଇଥିଲେ ଆକର୍ଷଣୀୟ ବିଜୟ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ