ମାଲିକ ହେବ ତ ଏମିତି : ପ୍ରତି କର୍ମଚାରୀଙ୍କୁ ଦେଲେ ଲକ୍ଷେ ଟଙ୍କାର ଦୀପାବଳି ବୋନସ

ନୂଆଦିଲ୍ଲୀ, ୦୯।୧୧: ମାଲିକ ହେବ ତ ଏମିତି! ଦୀପାବଳି ଅବସରରେ କର୍ମଚାରୀଙ୍କୁ ଏମିତି ଉପହାର ଦେଲେ ଯାହା ଏବେ ସମସ୍ତଙ୍କ ହୃଦୟ ଜିତିଛି। ମିଠା ପ୍ୟାକେଟ୍ କିମ୍ବା ନୂଆ ପୋଷାକ ନୁହେଁ, ବରଂ ପ୍ରତ୍ୟେକ କର୍ମଚାରୀଙ୍କୁ ମିଳିଲା ଲକ୍ଷାଧିକ ଟଙ୍କାର ନଗଦ ବୋନସ୍। ଏତେ ଟଙ୍କା ଏକାଥରକେ ହାତରେ ପାଇ କେତେକ କର୍ମଚାରୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ନିଆରା ଉପହାର ବଣ୍ଟନର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସାଧାରଣତଃ ଦୀପାବଳିରେ ବିଭିନ୍ନ ସଂସ୍ଥାର ମାଲିକମାନେ କର୍ମଚାରୀଙ୍କୁ ବୋନସ୍, ମିଠା କିମ୍ବା ଅନ୍ୟାନ୍ୟ ଉପହାର ଦେଇଥାନ୍ତି। ହେଲେ ଗୁଜରାଟର ସୁରତରେ ଜଣେ ବ୍ୟବସାୟୀ ଏସବୁଠାରୁ ଭିନ୍ନ ଢଙ୍ଗରେ ନିଜ କର୍ମଚାରୀଙ୍କ ଦୀପାବଳିକୁ ସ୍ମରଣୀୟ କରିଛନ୍ତି।

ସୁରତର ମୋଟା ଭାରାଛା ଅଞ୍ଚଳର ସୁଦାମା ଚୌକରେ ଥିବା ‘ମହାଦେବ କ୍ଲଥ ସେଣ୍ଟର’ର ମାଲିକ ରାମସ୍ୱରୂପ ମୁଣ୍ଡେ ନିଜର ୨୦ ଜଣ କର୍ମଚାରୀଙ୍କୁ ପ୍ରତ୍ୟେକଙ୍କ ପାଇଁ ଏକ ଲକ୍ଷ ଟଙ୍କାରୁ ଅଧିକ ନଗଦ ବୋନସ୍ ପ୍ରଦାନ କରିଛନ୍ତି। ଏହି ଉପହାର ବଣ୍ଟନର ଶୈଳୀ ମଧ୍ୟ ଥିଲା ନିଆରା। ରୂପା ରଙ୍ଗର ପୂଜା ଥାଳିରେ ବିଭିନ୍ନ ମୂଲ୍ୟର ନୋଟ୍‌କୁ ସୁନ୍ଦର ଭାବେ ସଜାଇ କର୍ମଚାରୀଙ୍କୁ ଦିଆଯାଇଥିଲା। ଏଥିରେ ୧୦, ୨୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ବଣ୍ଡଲ୍ ରହିଥିଲା।

ବୋନସ୍ ପାଇବା ପରେ କର୍ମଚାରୀଙ୍କ ଖୁସି କହିଲେ ନସରେ। ଅନେକଙ୍କ ଆଖିରେ ଖୁସିର ଲୁହ ମଧ୍ୟ ଦେଖିବାକୁ ମିଳିଥିଲା।

କର୍ମଚାରୀ ନୁହନ୍ତି, ପରିବାରର ସଦସ୍ୟ

ଏତେ ବଡ଼ ଉପହାର ପଛର କାରଣ ସମ୍ପର୍କରେ ରାମସ୍ୱରୂପ କହିଛନ୍ତି ଯେ, ତାଙ୍କ ପାଇଁ କର୍ମଚାରୀମାନେ କେବଳ କାମ କରୁଥିବା ଲୋକ ନୁହନ୍ତି। ସେମାନେ ତାଙ୍କ ପରିବାରର ଅଂଶ। ସେମାନଙ୍କ କଠିନ ପରିଶ୍ରମ ଓ ସହଯୋଗ ଯୋଗୁଁ ବ୍ୟବସାୟ ଆଗକୁ ବଢ଼ୁଛି। ତେଣୁ ପର୍ବପର୍ବାଣୀରେ ସେମାନଙ୍କ ପରିବାରରେ ଆର୍ଥିକ ଅଭାବ ରହିବା ଉଚିତ୍ ନୁହେଁ ବୋଲି ସେ ଭାବନ୍ତି।

ଏହି ବୋନସ୍ କେବଳ ପର୍ବର ଖୁସିକୁ ଦ୍ୱିଗୁଣିତ କରିନାହିଁ, ବରଂ କର୍ମଚାରୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ କରିବାରେ ମଧ୍ୟ ସହାୟକ ହେବ। ଜଣେ କର୍ମଚାରୀ କହିଛନ୍ତି ଯେ, ସେ ଏତେ ବଡ଼ ବୋନସ୍ କେବେ ଆଶା କରିନଥିଲେ। ଏହି ଟଙ୍କା ତାଙ୍କର ଘର କିଣିବା ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇପାରେ।

ଏବେ ସୋସିଆଲ ମିଡିଆରେ ଏହି ବ୍ୟବସାୟୀଙ୍କ ଉଦାରତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅନେକ ଲୋକ ତାଙ୍କୁ ପ୍ରଶଂସା କରିବା ସହ ଏଭଳି ମାଲିକ ସବୁ କର୍ମଚାରୀଙ୍କୁ ମିଳନ୍ତୁ ବୋଲି ମତ ଦେଉଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ