ଆଜିଠୁ ବଢ଼ିବ ଶୀତ: ଏହି ସବୁ ଜିଲ୍ଲାରେ ପ୍ରବଳ କୁହୁଡି ଓ ବର୍ଷା ଆଶଙ୍କା

**ଭୁବନେଶ୍ୱର, ୦୯।୧୧: ଦୀପାବଳି ପରେ ରାଜଧାନୀରେ ବଢ଼ିଲା ବାୟୁ ପ୍ରଦୂଷଣ। ବାଣ ଫୁଟାଇବା ଯୋଗୁଁ ଧୂଆଁର ଚାଦରରେ ଢାଙ୍କି ହୋଇଗଲା ଭୁବନେଶ୍ୱର। ବିଷାକ୍ତ ହୋଇପଡ଼ିଲା ପରିବେଶ। ଅନ୍ୟପଟେ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି। ଅନେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇଥିବାରୁ ହାଲୁକା ଶୀତ ଅନୁଭୂତ ହେଉଛି।

ଦୀପାବଳିରେ ବାଣ ଫୁଟାଇବାର ପ୍ରଭାବ ରାଜଧାନୀର ବାୟୁମଣ୍ଡଳ ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ରାତିରେ ଭୁବନେଶ୍ୱରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୭୪ ରେକର୍ଡ ହୋଇଥିଲା। ସହରର ଅଧିକାଂଶ ଅଞ୍ଚଳରେ ଏହା ୨୫୦ ଉପରେ ରହିଥିଲା। ଏଜି କଲୋନୀରେ ସର୍ବାଧିକ ୩୨୪ AQI ରେକର୍ଡ ହୋଇଥିବା ବେଳେ ଚିନ୍ତାମଣିଶ୍ୱରରେ ୩୦୭, ବିଜେବି ନଗରରେ ୨୯୭, ବାପୁଜୀ ନଗରରେ ୨୯୫, ବାଲାକାଟିରେ ୨୯୪ ଏବଂ ଜାଗମରାରେ ୨୯୧ ରହିଥିଲା।

ସେହିପରି ହଂସପାଳରେ ୨୪୫ ଏବଂ ନନ୍ଦନବିହାରରେ ୨୨୫ AQI ରେକର୍ଡ କରାଯାଇଥିଲା। ରାତି ୧୧ଟା ବେଳକୁ ପ୍ରଦୂଷଣ ସ୍ତର ୧୪୪୪ରେ ପହଞ୍ଚିଥିଲା। ପରେ ଏହା ଧୀରେ ଧୀରେ ହ୍ରାସ ପାଇଥିଲା। ସକାଳ ୭ଟାରେ ହାରାହାରି AQI ୧୯୭ ରେକର୍ଡ ହୋଇଥିଲା।

ବାୟୁ ଓ ଶବ୍ଦ ପ୍ରଦୂଷଣ ବଢ଼ିବା ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିଛି। ବିଶେଷକରି ଶ୍ୱାସରୋଗୀ, ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।

ଆଗକୁ ଆହୁରି ବଢ଼ିବ ଶୀତ

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିପାରେ। ଏହାଦ୍ୱାରା ଶୀତର ପ୍ରଭାବ ଆହୁରି ଅନୁଭୂତ ହେବ। ତେବେ ଏହାପରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

କେଉଁ ଜିଲ୍ଲାରେ ହେବ ବର୍ଷା?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସମ୍ଭାବନା ରହିଛି। ଏଠାରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଏବଂ ସର୍ବନିମ୍ନ ୨୧ ଡିଗ୍ରୀ ସେଲସିୟସ୍ ରହିପାରେ।

ନଭେମ୍ବର ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏହାପରେ ୧୨ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି।

ଅନ୍ୟପଟେ ନଭେମ୍ବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କରୁଛନ୍ତି। ଏହାର ଗତିବିଧି ଓ ପ୍ରଭାବ ଉପରେ ପାଣିପାଗ ବିଭାଗର ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ