ଭୁବନେଶ୍ୱର, ୬/୧୧ : ବନ୍ୟାଞ୍ଚଳରେ ପହଞ୍ଚିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ସେ। ଏହି ଗସ୍ତ ସମୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ନବୀନ।
ସୂଚନା ଅନୁସାରେ, ଆସନ୍ତାକାଲି ସକାଳ ୧୦ଟା ୫ ମିନିଟ୍ରେ ଭୁବନେଶ୍ୱରରୁ ବାହାରି ଶେରଗଡ଼ରେ ପହଞ୍ଚିବେ। ଏହାପରେ ହିଞ୍ଜିଳିକାଟୁ ଗସ୍ତ କରି ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବେ। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ମଧ୍ୟ ବୁଝିବେ। ଦିନ ସାଢ଼େ ଗୋଟାଏରେ ଆସିକା ଯିବାର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନ ୨ଟା ୪୦ରେ ସୋରଡ଼ାର ବାଲିଗୁଚ୍ଛାରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ।
ଅନ୍ୟପଟେ ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ତାଙ୍କ କହିବା ଅନୁଯାୟୀ, ବିଜେପି ସରକାରଙ୍କ ଉପରେ ଲୋକଙ୍କ ଆଉ ଭରସା ନାହିଁ। ବନ୍ୟା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟି ଲକ୍ଷ୍ୟ ମଧ୍ୟ ବିଫଳ ହୋଇଛି।
ପ୍ରମିଳା ଆହୁରି କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଟିମ୍ ପୂର୍ବରୁ ଗଞ୍ଜାମ ଗସ୍ତ କରି ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଛି। ଲୋକଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହେବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାବାସୀଙ୍କ ସୁଖଦୁଃଖରେ ଛିଡ଼ା ହୋଇଥାନ୍ତି ଏବଂ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରନ୍ତି ବୋଲି ସେ କହିଛନ୍ତି।

