ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟର ବିଜେପି ସରକାରଙ୍କୁ ଘେରିଛି ବିଜେଡି। ବିଜେଡି ନେତ୍ରୀ ସୁଜାତା ରାଉତ ବନ୍ୟା ପରିଚାଳନାରେ ସରକାରଙ୍କ ଭୂମିକାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ଅବହେଳା ଯୋଗୁଁ ଗଞ୍ଜାମବାସୀ ଏଭଳି ବିପର୍ଯ୍ୟୟର ସାମ୍ନା କରିଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ସେ ମନୁଷ୍ୟକୃତ ଦୁର୍ଦ୍ଦଶା ବୋଲି କହିଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ସୁଜାତା କହିଛନ୍ତି ଯେ, ଅକ୍ଟୋବର ୨୩ ତାରିଖରୁ ହିଁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ସୂଚନା ମିଳିଥିଲା। ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ ସହ ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ମଧ୍ୟ ଜାରି ହୋଇଥିଲା।
ତାଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୨୮ରେ ଭଞ୍ଜନଗର, ସୋରଡ଼ା ଓ ଧନେଇ ଜଳଭଣ୍ଡାର ପ୍ରାୟ ୮୦ ପ୍ରତିଶତ ପୂର୍ଣ୍ଣ ହୋଇସାରିଥିଲା। ଏହା ସତ୍ତ୍ୱେ ଆଗୁଆ ଜଳ ନିଷ୍କାସନ କରାଯାଇନଥିଲା। ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ହଠାତ୍ ବୃଦ୍ଧି ପାଇବା ପରେ ଜଳଭଣ୍ଡାରଗୁଡ଼ିକର ଗେଟ୍ ଖୋଲାଯାଇଥିଲା। ଏପରିକି ତଳିଆ ଅଞ୍ଚଳର ଲୋକଙ୍କୁ ଆଗୁଆ ସତର୍କ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି।
ଫଳରେ ଗଞ୍ଜାମ ଜିଲ୍ଲାରେ ଅଭୂତପୂର୍ବ ବନ୍ୟା ପରିସ୍ଥିତି ଉପୁଜିବା ସହ ବ୍ୟାପକ ଧନସମ୍ପତ୍ତି ନଷ୍ଟ ହୋଇଥିବା ସେ କହିଛନ୍ତି। ଏହି ଭୁଲ୍ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଋଷିକୂଲ୍ୟା ନଦୀ ଅବବାହିକାରେ ଅନେକ ମଧ୍ୟମ ଜଳଭଣ୍ଡାର ସହ ଶହ ଶହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡାଇଭର୍ସନ ୱିୟର ଓ ଚେକ୍ ଡ୍ୟାମ୍ ରହିଛି। ତେବେ ବାତ୍ୟା ଓ ବନ୍ୟାର ପୂର୍ବାନୁମାନ ଥାଇ ମଧ୍ୟ କାହିଁକି ଆଗୁଆ ଆବଶ୍ୟକ ପରିମାଣର ଜଳ ନିଷ୍କାସନ କରାଗଲା ନାହିଁ ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।
ବନ୍ୟା ଓ ବାତ୍ୟା ଭଳି ପରିସ୍ଥିତିରେ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ଜଳ ନିଷ୍କାସନ ଏକ ନିୟମିତ ପ୍ରକ୍ରିୟା ହୋଇଥିବା ବେଳେ ଏଥିରେ କାହିଁକି ଅବହେଳା କରାଗଲା, ତାହାର ଜବାବ ସରକାର ଦେବା ଉଚିତ ବୋଲି ସେ କହିଛନ୍ତି। ଗଞ୍ଜାମବାସୀଙ୍କ ଏହି ଦୁର୍ଦ୍ଦଶା ପାଇଁ ଦାୟୀ କିଏ ଏବଂ ଲକ୍ଷ ଲକ୍ଷ ଲୋକଙ୍କ କ୍ଷତିର ଉତ୍ତର ବିଜେପି ସରକାର ଦେବେ କି ନାହିଁ, ସେନେଇ ସୁଜାତା ପ୍ରଶ୍ନ ଉଠାଇଛନ୍ତି।

