ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆଉ ଏକ ଦୁଃଖଦ ଖବର। ପରଲୋକରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ୭୪ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ଧରି ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ।
ସୂଚନା ଅନୁଯାୟୀ, ଅସୁସ୍ଥତା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୨୭ ତାରିଖରୁ ଏମ୍ସର ନ୍ୟୁରୋସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। ବରିଷ୍ଠ ନ୍ୟୁରୋସର୍ଜନ ପ୍ରଫେସର ଡାକ୍ତର ଆଶିଷ ସୁରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଥିଲା। ହେଲେ ଶେଷରେ ମୃତ୍ୟୁ ସହ ସଂଘର୍ଷରେ ହାରିଯାଇଛନ୍ତି ଏହି ବିଶିଷ୍ଟ ଚିକିତ୍ସକ।
୪୦ ବର୍ଷରୁ ଅଧିକ ସମୟ ଏମ୍ସରେ କାଟିଥିଲେ
୧୯୫୨ ମସିହାରେ ପୁରୀ ଜିଲ୍ଲାର ବୀରଗୋବିନ୍ଦପୁରରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ ମହାପାତ୍ର। ୧୯୭୫ ମସିହାରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରୁ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଦିଲ୍ଲୀ ଏମ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରି ୧୯୭୯ରେ ଏମ୍ଏସ୍ ଏବଂ ୧୯୮୨ରେ ନ୍ୟୁରୋସର୍ଜରୀରେ ଏମ୍ସିଏଚ୍ ଡିଗ୍ରୀ ହାସଲ କରିଥିଲେ।
ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ସେ ଏମ୍ସ ନୂଆଦିଲ୍ଲୀ ସହ ଜଡ଼ିତ ରହିଥିଲେ। ଏହି ସମୟ ମଧ୍ୟରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ଏବଂ ଡିନ୍ (ଗବେଷଣା) ଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଥିଲେ। ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ଅବଦାନ ତାଙ୍କୁ ଦେଶର ଜଣେ ପ୍ରତିଷ୍ଠିତ ଡାକ୍ତର ଭାବେ ପରିଚିତ କରାଇଥିଲା।
ଜଗା-କାଳିଆଙ୍କ ଅପରେସନ୍ରୁ ମିଳିଥିଲା ଅନ୍ତର୍ଜାତୀୟ ପରିଚୟ
ଡାକ୍ତର ଅଶୋକ ମହାପାତ୍ରଙ୍କ ଚିକିତ୍ସା ଜୀବନର ଏକ ଐତିହାସିକ ଅଧ୍ୟାୟ ହେଉଛି ଜଗା-କାଳିଆଙ୍କ ଅସ୍ତ୍ରୋପଚାର। ୨୦୧୭ ମସିହାରେ କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ ସେ।
ଦିଲ୍ଲୀ ଏମ୍ସରେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଅସ୍ତ୍ରୋପଚାର ଭାରତୀୟ ଚିକିତ୍ସା ଇତିହାସରେ ଏକ ବଡ଼ ସଫଳତା ଭାବେ ପରିଗଣିତ ହୋଇଥିଲା। ଏହି ସଫଳତା ପାଇଁ ଡାକ୍ତର ମହାପାତ୍ର ଦେଶବିଦେଶରେ ପ୍ରଶଂସା ସାଉଁଟିଥିଲେ।
ଜଣେ ଦକ୍ଷ ଡାକ୍ତର, ଗବେଷକ ଓ ଶିକ୍ଷାବିତ୍ ଭାବେ ତାଙ୍କର ଅବଦାନ ସବୁଦିନ ମନେ ରହିବ। ତାଙ୍କ ବିୟୋଗରେ ଓଡ଼ିଶା ସମେତ ସମଗ୍ର ଚିକିତ୍ସା ଜଗତରେ ଶୋକର ଛାୟା ଖେଳିଯାଇଛି।

