ଭୋପାଳ, ୨/୧୧: ବେଆଇନ ମଦ କାରବାର ରୋକିବାକୁ ଯାଇ ଜୀବନ ହରାଇଲେ ଜଣେ ପୋଲିସ ଅଧିକାରୀ। ମଦ ମାଫିଆଙ୍କ ଟ୍ରକ୍ ଚଢ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଘଟିଥିବା ଏହି ଘଟଣା ପୋଲିସ ବିଭାଗରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଅଧିକାରୀ ହେଉଛନ୍ତି ଦୀଲିପ କୁମାର ପୁରୀ।
ସୂଚନା ଅନୁସାରେ, ରବିବାର ରାତିରେ ଦୀଲିପଙ୍କୁ ଅଞ୍ଚଳରେ ବେଆଇନ ମଦ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ସେ ନିଜ ଟିମ୍ ସହ ଇନ୍ଦୋର-ବୈତୁଲ ଜାତୀୟ ରାଜପଥରେ ଚଢ଼ାଉ କରିବାକୁ ପହଞ୍ଚିଥିଲେ।
ଏହି ସମୟରେ ବେଆଇନ ମଦ ବୋଝେଇ ଏକ ଟ୍ରକ୍ ସେଠାରେ ପହଞ୍ଚିଥିଲା। ଦୀଲିପ ଟ୍ରକ୍ଟିକୁ ଅଟକାଇ ଚାଳକଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ। କିନ୍ତୁ ଚାଳକ ତାଙ୍କ ନିର୍ଦ୍ଦେଶକୁ ଖାତିର ନକରି ଦ୍ରୁତଗତିରେ ଗାଡ଼ି ଚଳାଇଥିଲେ। ଏପରିକି ଡିଭାଇଡର ଡେଇଁ ଟ୍ରକ୍କୁ ଆଗକୁ ନେଇଯାଇଥିଲେ। ଏହି ସମୟରେ ଟ୍ରକ୍ର ପଛ ଚକା ଦୀଲିପଙ୍କ ଉପରେ ଚଢ଼ି ଯାଇଥିଲା।
ଗୁରୁତର ଅବସ୍ଥାରେ ଦୀଲିପଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ। ଅନ୍ୟପଟେ ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଘଟଣାକୁ ନେଇ ଏସ୍ପି ଆଦିତ୍ୟ ମିଶ୍ରଙ୍କ ସମେତ ପୋଲିସ ବିଭାଗରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

