ଭୁବନେଶ୍ୱର: ଭୁଟାନରେ ପ୍ରକୃତିର ତାଣ୍ଡବ। ଫାଟିଲା ଗ୍ଲେସିଅର ହ୍ରଦ। ପାହାଡ଼ ଉପରୁ ହୁ ହୁ ହୋଇ ମାଡ଼ି ଆସୁଛି ବିଶାଳ ଜଳରାଶି। ଏହାର ପ୍ରଭାବରେ ଏବେ ଭାରତରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଦୀରେ ହଠାତ୍ ଜଳସ୍ତର ବଢ଼ିବା ସମ୍ଭାବନା ଥିବାରୁ ଆସାମ ଓ ପଶ୍ଚିମବଙ୍ଗରେ ହାଇଆଲର୍ଟ ଜାରି ହୋଇଛି। ବିଶେଷକରି ସଙ୍କୋଶ ନଦୀ ଅବବାହିକାରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି। ନଦୀକୂଳ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁସାରେ, ଭୁଟାନର ଗାସା ଜିଲ୍ଲା ଅନ୍ତର୍ଗତ ଲୁନାନା ଅଞ୍ଚଳରେ ଥିବା ଶିନ୍ତାଫୁ ଗ୍ଲେସିଅର ହ୍ରଦ ଫାଟିଯାଇଛି। ଫଳରେ ତଳମୁଣ୍ଡକୁ ବିପୁଳ ପରିମାଣର ଜଳ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିବା ଆଶଙ୍କା କରାଯାଉଛି।
ଭୁଟାନରୁ ଭାରତକୁ ପ୍ରବାହିତ ପୁନାତ୍ସାଙ୍ଗଚୁ ନଦୀ ଭାରତରେ ପ୍ରବେଶ କରିବା ପରେ ସଙ୍କୋଶ ନଦୀ ଭାବେ ପରିଚିତ। ତେଣୁ ଏହି ନଦୀର ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକ ପ୍ରତି ବିପଦ ଆଶଙ୍କା ରହିଛି। ଭାରତୀୟ କର୍ତ୍ତୃପକ୍ଷଙ୍କ ଆକଳନ ଅନୁଯାୟୀ, ଉପରମୁଣ୍ଡରୁ ଆସୁଥିବା ଜଳରାଶି ୬ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିପାରେ। ଏହାଦ୍ୱାରା ସଙ୍କୋଶ ନଦୀରେ ହଠାତ୍ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭୁଟାନ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ନଦୀକୂଳରେ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯାଉଛି। ଏହାସହ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ନଦୀକୂଳରେ ରହୁଥିବା ଲୋକଙ୍କୁ ଘର ଛାଡ଼ି ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।
ଅନ୍ୟପଟେ ପଶ୍ଚିମବଙ୍ଗରେ ମଧ୍ୟ ଚିନ୍ତା ବଢ଼ିଛି। ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଏକ ଭିଡିଓ ଜାରି କରି ସଙ୍କୋଶ ନଦୀ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି। ବିଶେଷକରି କୁମାରଗ୍ରାମ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି। ସେହିପରି ବିଜେପି ସାଂସଦ ରାଜୁ ବିଷ୍ଟ ମଧ୍ୟ ସୋସିଆଲ ମିଡିଆ ଜରିଆରେ ସତର୍କ ସୂଚନା ଦେଇଛନ୍ତି। ନଦୀ ଅବବାହିକାରେ ରହୁଥିବା ଲୋକଙ୍କୁ ନିଜ ସୁରକ୍ଷା ପାଇଁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ସେ ପରାମର୍ଶ ଦେଇଛନ୍ତି।
ଗ୍ଲେସିଅର ହ୍ରଦ ଫାଟିବା ଯୋଗୁଁ ଆସୁଥିବା ଏହି ଜଳରାଶି ଯଦି ସଙ୍କୋଶ ନଦୀରେ ପହଞ୍ଚେ, ତେବେ ନଦୀକୂଳ ଅଞ୍ଚଳରେ ବଡ଼ ଧରଣର କ୍ଷୟକ୍ଷତି ହୋଇପାରେ। ଘରଦ୍ୱାର, ଚାଷଜମି, ରାସ୍ତାଘାଟ ଓ ପୋଲ ପ୍ରତି ବିପଦ ରହିଛି। ଏବେ ସମସ୍ତଙ୍କ ନଜର ନଦୀର ଜଳସ୍ତର ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।

