ସୁଲତାନପୁର, ୨୬/୧୦: ଉତ୍ତର ପ୍ରଦେଶର ସୁଲତାନପୁରରେ ରାହୁଲ ଗାନ୍ଧୀଙ୍କ କାରକେଡ୍ରେ ଦୁର୍ଘଟଣା। ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ତାଙ୍କ କାରକେଡ୍ରେ ଥିବା କିଛି ଗାଡ଼ି ପରସ୍ପରକୁ ଧକ୍କା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାରେ ରାହୁଲ ଗାନ୍ଧୀ ସୁରକ୍ଷିତ ଥିବା ଜଣାପଡ଼ିଛି।
କିପରି ଘଟିଲା ଦୁର୍ଘଟଣା?
ସୂଚନା ଅନୁଯାୟୀ, ସୋମବାର ସକାଳେ ରାହୁଲ ଗାନ୍ଧୀ ସୁଲତାନପୁର ଗସ୍ତ କରୁଥିଲେ। ଏହି ସମୟରେ ହଲିୟାପୁର ଥାନା ଅଞ୍ଚଳ ଅଧୀନରେ ଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ତାଙ୍କ କାରକେଡ୍ର ପଛରେ ଯାଉଥିବା କିଛି ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲେ। ଫଳରେ କିଛି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
ତେବେ ଗାଡ଼ିଗୁଡ଼ିକ କେଉଁ କାରଣରୁ ପରସ୍ପରକୁ ଧକ୍କା ଦେଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିନାହିଁ।
କୋର୍ଟରେ ହାଜର ହେବାକୁ ଯାଉଥିଲେ ରାହୁଲ
୨୦୧୮ ମସିହାର ଏକ ଅପରାଧିକ ମାନହାନି ମାମଲାରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀ ସୁଲତାନପୁରର ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ କୋର୍ଟକୁ ଯାଉଥିଲେ। ଏହି ଗସ୍ତ ସମୟରେ ତାଙ୍କ କାରକେଡ୍ରେ ଦୁର୍ଘଟଣା ଘଟିଥିଲା।
ତେବେ ଦୁର୍ଘଟଣାରେ ରାହୁଲ ଗାନ୍ଧୀଙ୍କ ଗାଡ଼ିର କୌଣସି କ୍ଷତି ହୋଇଥିବା ସୂଚନା ନାହିଁ। ସେ ସୁରକ୍ଷିତ ଥିବା ଜଣାପଡ଼ିଛି।

