ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଉଦ୍ଘାଟନ କରିବେ RBIର ଡାଟା ସେଣ୍ଟର
ଭୁବନେଶ୍ୱର, ୨୫/୧୦ : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କର ଏହି ଗସ୍ତ ଅବସରରେ ଭୁବନେଶ୍ୱରର ଇନଫୋଭ୍ୟାଲି-୨ ଅଞ୍ଚଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ।
କାର୍ଯ୍ୟସୂଚୀ ଅନୁଯାୟୀ, ମୋଦୀ ଅପରାହ୍ଣ ୨ଟା ୪୫ରେ ବାରାଣସୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ। ଅପରାହ୍ଣ ୪ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଇନଫୋଭ୍ୟାଲି-୨ ଯିବେ। ସେଠାରେ ଅପରାହ୍ଣ ପ୍ରାୟ ୪ଟା ୪୫ରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ହେବ।
ସାଇବର ସୁରକ୍ଷା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ
RBIର ଏହି ନୂତନ ପ୍ରତିଷ୍ଠାନ ଆର୍ଥିକ କ୍ଷେତ୍ରରେ ସାଇବର ସୁରକ୍ଷାକୁ ମଜବୁତ କରିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ତାଲିମ, ଗବେଷଣା ଏବଂ ଦକ୍ଷତା ବିକାଶରେ ସହାୟକ ହେବ। କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଏଠାରେ ବିଶେଷ ଧ୍ୟାନ ଦିଆଯିବ। ଏହା ଆର୍ଥିକ ସେବା କ୍ଷେତ୍ର ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ତାଲିମ ଓ ଗବେଷଣା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଯୋଗାଇଦେବ।
୧୮ ଏକର ଜମିରେ ନିର୍ମିତ ଡାଟା ସେଣ୍ଟର
ଇନଫୋଭ୍ୟାଲି-୨ ଅଞ୍ଚଳରେ ପ୍ରାୟ ୧୮ ଏକର ଜମିରେ ଏହି ଡାଟା ସେଣ୍ଟର ନିର୍ମାଣ କରାଯାଇଛି। ୨୦୨୩ରେ ଏହାର ଶିଳାନ୍ୟାସ ହୋଇଥିଲା। ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟ ଏବଂ ଡିଜିଟାଲ୍ ଭିତ୍ତିଭୂମିର ସୁରକ୍ଷା ଦିଗରୁ ଏହି ପ୍ରକଳ୍ପକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ପ୍ରକଳ୍ପର ଅବସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହାର ପରିସରରେ ତିନୋଟି ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି।
ମୋଦୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ପ୍ରାୟ ୩୦୦ ଅଧିକାରୀ ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିଚାଳନା ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କାର୍ଯ୍ୟକ୍ରମ ଶେଷ ହେବା ପରେ ସନ୍ଧ୍ୟା ୫ଟା ୫୦ରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ କାର୍ଯ୍ୟକ୍ରମ ସ୍ଥଳରୁ ବାହାରିବ। ସନ୍ଧ୍ୟା ୬ଟା ୩୦ରେ ସେ ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ୬ଟା ୩୬ରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

