ବ୍ୟାଙ୍କକ: ପ୍ରବଳ ବର୍ଷାରେ ଜଳମଗ୍ନ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ। ସହରର ଅନେକ ଅଞ୍ଚଳରେ ରାସ୍ତାଘାଟ ଉପରେ ପାଣି ଜମିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ୮୦ ହଜାରରୁ ଅଧିକ ଲୋକ ଘରୁ ବାହାରିପାରୁନଥିବା ସୂଚନା ମିଳିଛି। ପରିସ୍ଥିତି ଗମ୍ଭୀର ହେବା ପରେ ପ୍ରଶାସନ ପକ୍ଷରୁ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।
ସପ୍ତାହାନ୍ତରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବ୍ୟାଙ୍କକର ବହୁ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଗତ ଦୁଇରୁ ତିନି ଦିନ ମଧ୍ୟରେ ପ୍ରାୟ ୩୨୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଚାପ ବଢ଼ିଛି। ଜଳାଶୟଗୁଡ଼ିକରେ ଜଳସ୍ତର ବିପଦସଙ୍କେତ ଅତିକ୍ରମ କରିବାରୁ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଜୋରଦାର କରାଯାଇଛି।
ଥାଇଲାଣ୍ଡ ଗୃହ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଉନସିତ୍ ସମ୍ପୁନ୍ଥାରାଟ୍ଙ୍କ ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳର ୮୦ ହଜାରରୁ ଅଧିକ ବାସିନ୍ଦା ଏବେ ମଧ୍ୟ ନିଜ ଘରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ପାଇଁ ମୋବାଇଲ୍ କିଚେନ୍ ଓ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ବନ୍ୟା ପରିସ୍ଥିତି ଶେଷ ହେବା ପରେ ମଧ୍ୟ ୭ ଦିନ ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଦିନକୁ ତିନି ଓଳି ଖାଦ୍ୟ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଥିବା ବନ୍ୟାରେ ଥାଇଲାଣ୍ଡର ୪୧ଟି ପ୍ରଦେଶ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫.୮ ଲକ୍ଷରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ରଙ୍ଗସିଟ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଆଟ୍ ପିସାନୱାନିଚ୍ଙ୍କ ଆକଳନ ଅନୁଯାୟୀ, ବନ୍ୟା ଯୋଗୁଁ ଦେଶର ପ୍ରାୟ ୧୧ ବିଲିୟନ ବାହଟ୍ର ଆର୍ଥିକ କ୍ଷତି ହୋଇପାରେ। ପରିସ୍ଥିତି ଦୀର୍ଘସ୍ଥାୟୀ ହେଲେ କ୍ଷତିର ପରିମାଣ ଆହୁରି ବଢ଼ିପାରେ।
ବନ୍ୟାର ପ୍ରଭାବ ଥାଇଲାଣ୍ଡର ଅର୍ଥନୀତି ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଆକଳନ ଅନୁଯାୟୀ, ଦେଶର ମୋଟ ଜିଡିପି ଅଭିବୃଦ୍ଧି ୦.୩ ପ୍ରତିଶତ କମି ୨.୧ ପ୍ରତିଶତକୁ ଖସିପାରେ। ତୃତୀୟ ତ୍ରୈମାସିକର ଅଭିବୃଦ୍ଧି ମଧ୍ୟ ପ୍ରାୟ ୦.୫ ପ୍ରତିଶତ କମିବାର ଆଶଙ୍କା ରହିଛି। ବିଶେଷକରି ବ୍ୟାଙ୍କକ୍ ଓ ପୂର୍ବ ଥାଇଲାଣ୍ଡର ପାଇକାରୀ ଏବଂ ଖୁଚୁରା ବ୍ୟବସାୟ ଏହାଦ୍ୱାରା ପ୍ରଭାବିତ ହୋଇପାରେ।
ବ୍ୟାଙ୍କକର ବାଙ୍ଗ କାପି ଅଞ୍ଚଳରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଅଣ୍ଟାଏ ପାଣି ମଧ୍ୟରେ ଲୋକମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଯାଉଛନ୍ତି। କେତେକ ବ୍ୟବସାୟୀ ପ୍ଲାଷ୍ଟିକ୍ ବାକ୍ସ ଓ ଡ୍ରମ୍ ବ୍ୟବହାର କରି ପାଣି ଉପରେ ଅସ୍ଥାୟୀ ଭାସମାନ ଦୋକାନ ମଧ୍ୟ ଚଳାଉଛନ୍ତି। ବ୍ୟାଙ୍କକ୍ ସହର ପ୍ରଶାସନ ଅନୁଯାୟୀ, ଏପର୍ଯ୍ୟନ୍ତ ୫,୯୦୧ ଜଣଙ୍କୁ ୨୩୪ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ସମୁଦ୍ର ପତ୍ତନଠାରୁ ଅଳ୍ପ ଉଚ୍ଚତାରେ ଅବସ୍ଥିତ ବ୍ୟାଙ୍କକ୍ ପ୍ରତିବର୍ଷ ବର୍ଷାଦିନରେ ବନ୍ୟା ସମସ୍ୟାର ସାମ୍ନା କରୁଛି। ସହରଟି ଧୀରେ ଧୀରେ ତଳକୁ ଦବୁଥିବାରୁ ଭବିଷ୍ୟତରେ ଏହି ସମସ୍ୟା ଆହୁରି ବଢ଼ିବା ନେଇ ଚିନ୍ତା ପ୍ରକାଶ ପାଇଛି। ଏପଟେ ରାୟୋଙ୍ଗ୍ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଜଳାଶୟଗୁଡ଼ିକ କ୍ଷମତା ଅତିକ୍ରମ କରିବାରୁ ସ୍ଥାନାନ୍ତର ଜାରି ରହିଛି।
ଗତବର୍ଷ ମଧ୍ୟ ଥାଇଲାଣ୍ଡର ଦକ୍ଷିଣ ଅଞ୍ଚଳରେ ଭୟଙ୍କର ବନ୍ୟାରେ ୧୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୩୩ ହଜାରରୁ ଅଧିକ ଘର ସହ ରାସ୍ତାଘାଟ ଓ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣି ଥରେ ବ୍ୟାଙ୍କକ୍ରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରୁ ପ୍ରଶାସନ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

