ଆସୁଛି ବାତ୍ୟା : ସ୍ପଷ୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ବର, ୧୯/୦୯: ବଙ୍ଗୋପସାଗରରେ ପୁଣି ଘନେଇଲା ପାଣିପାଗ ବିପଦ । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଧୀରେ ଧୀରେ ଶକ୍ତିଶାଳୀ ହେଉଛି । ଏହାର ପ୍ରଭାବରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସିଷ୍ଟମ୍‌ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨୧ ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ପରେ ୨୨ ତାରିଖ ସୁଦ୍ଧା ଏହା ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ରହିଛି ।

୨୩ରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ

ସିଷ୍ଟମ୍‌ଟି ଏହି ଦିଗରେ ଗତି ଜାରି ରଖିଲେ ୨୩ ସେପ୍ଟେମ୍ବର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ସମୁଦ୍ରରେ ପହଞ୍ଚିପାରେ । ସମୁଦ୍ର ଉପରେ ଦୀର୍ଘ ସମୟ ରହିବା ଯୋଗୁଁ ସିଷ୍ଟମ୍‌ଟି ପର୍ଯ୍ୟାପ୍ତ ଜଳୀୟବାଷ୍ପ ସଂଗ୍ରହ କରିବ । ତେଣୁ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନାକୁ ଏବେ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରୁନାହିଁ ।

ତେବେ ଏହା ଏକ ବଡ଼ ଓ ଭୟଙ୍କର ବାତ୍ୟାର ରୂପ ନେବ କି ନାହିଁ, ସେନେଇ ବର୍ତ୍ତମାନଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ । ଲଘୁଚାପର ପରବର୍ତ୍ତୀ ଗତିବିଧି ଏବଂ ଘନୀଭୂତ ହେବାର ପ୍ରକ୍ରିୟା ଉପରେ ଏହା ନିର୍ଭର କରିବ ।

ବାତ୍ୟାଠାରୁ ବର୍ଷା ବିପଦ ଅଧିକ!

ପାଣିପାଗ ବିଜ୍ଞାନୀ ବିଶ୍ୱଜିତ୍ ସାହୁଙ୍କ ଆକଳନ ଅନୁସାରେ, ଯଦି ସିଷ୍ଟମ୍‌ଟି ବାତ୍ୟାରେ ପରିଣତ ହୁଏ, ତେବେ ଏହାର ତୀବ୍ରତା ବହୁତ ଅଧିକ ହେବାର ସମ୍ଭାବନା କମ୍ । ପବନର ବେଗ ତୁଳନାମୂଳକ ଭାବେ କମ୍ ରହିପାରେ, କିନ୍ତୁ ବର୍ଷାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି ।

ବିଶେଷ କରି ୨୨ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଏହି ଜିଲ୍ଲାଗୁଡ଼ିକରେ ବଢ଼ିପାରେ ବିପଦ

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଭଳି ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ସ୍ଥିତି ସମ୍ବେଦନଶୀଳ ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ ଛୋଟ ନଦୀ, ନାଳରେ ହଠାତ୍‌ ଜଳସ୍ତର ବଢ଼ି ଫ୍ଲାସ୍ ଫ୍ଲଡ୍‌ର ସ୍ଥିତି ସୃଷ୍ଟି ହୋଇପାରେ ।

ଏହାସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ନଦୀନାଳରେ ଜଳସ୍ତର ବୃଦ୍ଧିର ଆଶଙ୍କା ମଧ୍ୟ ରହିଛି ।

ମତ୍ସ୍ୟଜୀବୀଙ୍କୁ ସତର୍କତା

ସିଷ୍ଟମ୍‌ର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରାଯାଇଛି । ଏପଟେ ପାହାଡ଼ିଆ ଅଞ୍ଚଳରେ ବର୍ଷା ସମୟରେ ନାଳ, ନଦୀ ଓ ତଳିଆ ସ୍ଥାନଠାରୁ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସାମଗ୍ରିକ ଭାବେ ଆସନ୍ତା ୪ ଦିନ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ସିଷ୍ଟମ୍‌ର ଶେଷ ଗତିପଥ ଏବଂ ତୀବ୍ରତା ଆଗାମୀ ଦିନରେ ଏହା କେତେ ଘନୀଭୂତ ହେଉଛି, ତାହା ଉପରେ ନିର୍ଭର କରିବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ