ଭୁବନେଶ୍ୱର, ୧୯/୦୯: ଓଡ଼ିଶା ଉପକୂଳକୁ ନେଇ ବଢ଼ିଲା ପାଣିପାଗ ଚିନ୍ତା। ବଙ୍ଗୋପସାଗରରେ ଆଉ ଏକ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି।
ଲଘୁଚାପଟି ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରଣାଳୀଟି ଧୀରେ ଧୀରେ ଶକ୍ତିଶାଳୀ ହେବାର ଆକଳନ କରାଯାଇଛି।
ତେବେ ଏହି ପ୍ରଣାଳୀ ବାତ୍ୟାର ରୂପ ନେବ କି ନାହିଁ, ଏନେଇ ଏବେ ସୁଦ୍ଧା IMD ପକ୍ଷରୁ ସ୍ପଷ୍ଟ ଆକଳନ ଆସିନାହିଁ। ପ୍ରଥମେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ବିକାଶ ଉପରେ ପାଣିପାଗ ବିଭାଗ ନଜର ରଖିଛି।
ଅନ୍ୟପଟେ, ଏହି ପାଣିପାଗ ପ୍ରଣାଳୀ ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। IMDର ଆଜିର ଚେତାବନୀ ଅନୁସାରେ, ସେପ୍ଟେମ୍ବର ୨୨ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ।
ବିଶେଷକରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ତେଣୁ ଆଗାମୀ କିଛି ଦିନ ଧରି ଲଘୁଚାପର ଗତିପଥ ଓ ଏହାର ତୀବ୍ରତା ଉପରେ ନଜର ରହିବ ।

