ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଶୁକ୍ରବାର ଘଟିଛି ଭୟାବହ ବିସ୍ଫୋରଣ। କୋହାଟ ଜିଲ୍ଲାର ପୁରୁଣା ପୁଲିସ ଲାଇନ୍ସ ନିକଟରେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ଧକ୍କା ଦେବା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଘଟଣାସ୍ଥଳ ପେଶାୱାରଠାରୁ ପ୍ରାୟ ୬୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ପୁଲିସ ଲାଇନ୍ସ ନିକଟରେ ଥିବା ଏକ ମସଜିଦ୍ ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ମସଜିଦ୍ର କାନ୍ଥ ଭାଙ୍ଗିଯାଇଥିବା ସହ ଏହାର ସମ୍ମୁଖରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।
ନମାଜ ସମୟରେ ଘଟିଲା ବିସ୍ଫୋରଣ
ସୂଚନା ଅନୁସାରେ, ଲୋକମାନେ ମସଜିଦ୍ରେ ନମାଜ ପାଠ କରୁଥିବା ସମୟରେ ବିସ୍ଫୋରକ ଭର୍ତ୍ତି ଗାଡ଼ିଟି ପୁଲିସ ଲାଇନ୍ସର ଗେଟ୍ରେ ଧକ୍କା ଦେଇଥିଲା। ଏହାପରେ ଘଟିଥିଲା ଶକ୍ତିଶାଳୀ ବିସ୍ଫୋରଣ। ଘଟଣାରେ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି।
ଆହତମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ କୋହାଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ବିସ୍ଫୋରଣ ପରେ ଘଟଣାସ୍ଥଳରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ନିକଟସ୍ଥ କିଛି କୋଠା ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି।
ଏହି ବିସ୍ଫୋରଣ କିପରି ଘଟିଲା ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି।

