ନୂଆଦିଲ୍ଲୀ, ୧୫/୦୯: ବିମଲ ଇଲାଇଚିର ବିଜ୍ଞାପନକୁ ନେଇ ବଡ଼ ଅଡୁଆରେ ପଡ଼ିଛି ପିଜି ଏଗ୍ରୋ ବା ପିବି ଏଗ୍ରୋ ଏଲଏଲପି। ବଲିଉଡ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ମହାରାଷ୍ଟ୍ର ଏଫଡିଏ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଚ୍ୟାଲେଞ୍ଜ କରି କମ୍ପାନୀ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି।
ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ କହିଛନ୍ତି ଯେ, ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କର ଶୁଣାଣି କରିବାର ଅଧିକାର କ୍ଷେତ୍ର ନାହିଁ। କାରଣ ମହାରାଷ୍ଟ୍ର ଏଫଡିଏର କାର୍ଯ୍ୟାନୁଷ୍ଠାନ ଓ ସମ୍ପୃକ୍ତ ଘଟଣା ମହାରାଷ୍ଟ୍ର ସହ ଜଡ଼ିତ। ତେଣୁ କମ୍ପାନୀ ଚାହିଁଲେ ବମ୍ବେ ହାଇକୋର୍ଟ କିମ୍ବା ମହାରାଷ୍ଟ୍ରର ଅନ୍ୟ ସକ୍ଷମ ଅଦାଲତରେ ଆବେଦନ କରିପାରିବ।
କେବଳ କମ୍ପାନୀର ବ୍ୟବସାୟ ଦିଲ୍ଲୀରୁ ପରିଚାଳିତ ହେଉଛି କିମ୍ବା ଦିଲ୍ଲୀରୁ ବ୍ରାଣ୍ଡ ଆମ୍ବାସାଡର ଚୟନ କରାଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ପୀଠ ସ୍ପଷ୍ଟ କରିଛନ୍ତି।
କାହିଁକି ନୋଟିସ ପଠାଇଥିଲା ମହାରାଷ୍ଟ୍ର ଏଫଡିଏ?
ମହାରାଷ୍ଟ୍ର ଏଫଡିଏର ଅଭିଯୋଗ ହେଉଛି, ବିମଲ ଇଲାଇଚିର ବିଜ୍ଞାପନ ମାଧ୍ୟମରେ ରାଜ୍ୟରେ ନିଷିଦ୍ଧ ଥିବା ବିମଲ ପାନ ମସାଲାର ପରୋକ୍ଷ ବା ‘ସରୋଗେଟ୍’ ବିଜ୍ଞାପନ କରାଯାଉଛି। ଏହାକୁ ନେଇ ଅଭିନେତାମାନଙ୍କୁ ନୋଟିସ ପଠାଇ ବିମଲ ଇଲାଇଚି ଓ ପାନ ମସାଲା ଦୁଇଟି ଅଲଗା ଉତ୍ପାଦ ବୋଲି ପ୍ରମାଣ ଦେବାକୁ କୁହାଯାଇଥିଲା।
ଏହାସହ ବିଜ୍ଞାପନ ପ୍ରଚାର ବନ୍ଦ କରିବା ଏବଂ ଡିଜିଟାଲ ପ୍ଲାଟଫର୍ମରୁ ସମ୍ପୃକ୍ତ ବିଜ୍ଞାପନ ସାମଗ୍ରୀ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
କମ୍ପାନୀର ଯୁକ୍ତି କ’ଣ ଥିଲା?
କମ୍ପାନୀ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଅଗଷ୍ଟ ୧୧ରେ ଜାରି ହୋଇଥିବା ନୋଟିସ କେବଳ ଅଭିନେତାମାନଙ୍କୁ ଦିଆଯାଇଥିଲା, କମ୍ପାନୀକୁ ନୁହେଁ। ତଥାପି ଏହି ପଦକ୍ଷେପ ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା ଦାବି କରି କମ୍ପାନୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା।
ସରୋଗେଟ୍ ବିଜ୍ଞାପନର ଅଭିଯୋଗକୁ ମଧ୍ୟ କମ୍ପାନୀ ଖଣ୍ଡନ କରିଥିଲା। ମହାରାଷ୍ଟ୍ରରେ ୨୦୦୧ରୁ ବିମଲ ପାନ ମସାଲାର ଉତ୍ପାଦନ କିମ୍ବା ବିକ୍ରି ହେଉନଥିବା ଦାବି କରିଥିଲା କମ୍ପାନୀ।
ଏହି ମାମଲାରେ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ମଧ୍ୟ ଦିଲ୍ଲୀ ହାଇକୋର୍ଟର ଅଧିକାର କ୍ଷେତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଯୁକ୍ତି ଥିଲା, ନୋଟିସ ଜାରି କରିଥିବା ମହାରାଷ୍ଟ୍ର ସରକାର ମାମଲାରେ ପକ୍ଷକାର ନଥିବାରୁ କମ୍ପାନୀକୁ ମହାରାଷ୍ଟ୍ରରେ ଉପଯୁକ୍ତ ଅଦାଲତର ଆଶ୍ରୟ ନେବା ଉଚିତ।
ତେବେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ବିଜ୍ଞାପନ ବୈଧ କି ଅବୈଧ, ସେନେଇ କୌଣସି ଅନ୍ତିମ ନିଷ୍ପତ୍ତି ନୁହେଁ। କେବଳ ମାମଲାର ଅଧିକାର କ୍ଷେତ୍ରକୁ ଆଧାର କରି କମ୍ପାନୀର ଆବେଦନ ଖାରଜ କରାଯାଇଛି।

