କାଲିଘାଟରେ ମାଛ ଭୋଗ ଖାଇଲେ ଶୁଭେନ୍ଦୁ, ବାଗେଶ୍ୱର ବିବାଦରେ ବିଜେପିର ବଡ଼ ବାର୍ତ୍ତା!
କୋଲକାତା: ଦୁର୍ଗାପୂଜା ସମୟରେ ଆମିଷ ଖାଦ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କାଲିଘାଟ ମନ୍ଦିରରେ ମାଛ ଭୋଗ ଖାଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭେନ୍ଦୁ ଅଧିକାରୀ। କୌଶିକୀ ଅମାବାସ୍ୟା ଅବସରରେ କାଲିଘାଟରେ ପହଞ୍ଚିଥିବା ଶୁଭେନ୍ଦୁ ମନ୍ଦିରରେ ବସି ପାରମ୍ପରିକ ମାଛ ଭୋଗ ଗ୍ରହଣ କରିଥିଲେ।
ଭାଇରାଲ ଭିଡିଓରେ ତାଙ୍କୁ ତଳେ ବସି ଭୋଗ ଖାଉଥିବା ଦେଖାଯାଇଛି। ଭୋଗରେ ବଡ଼ ମାଛ ମୁଣ୍ଡ, ମାଛ ଭଜା ଓ ବାସନ୍ତୀ ପଲାଉ ରହିଥିଲା। କାଲିଘାଟ ମନ୍ଦିରରେ ମା’ କାଳୀଙ୍କୁ ମାଛ ଭୋଗ ଦେବାର ଦୀର୍ଘ ପରମ୍ପରା ରହିଛି।
ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ବାବା ବାଗେଶ୍ୱର ଭାବେ ପରିଚିତ ଧୀରେନ୍ଦ୍ର ଶାସ୍ତ୍ରୀ ଦୁର୍ଗାପୂଜା ସମୟରେ ବଙ୍ଗାଳୀମାନଙ୍କୁ ମାଛ ଓ ଅନ୍ୟ ଆମିଷ ଖାଦ୍ୟ ଛାଡ଼ିବାକୁ ଆହ୍ୱାନ କରିଥିଲେ। ଏପରିକି ଧାର୍ମିକ ଅବସରରେ ଆମିଷ ଖାଉଥିବା ଲୋକଙ୍କୁ ସେ ଢୋଙ୍ଗୀ ବୋଲି କହିଥିଲେ। ତାଙ୍କ ଏହି ମନ୍ତବ୍ୟକୁ ନେଇ ବଙ୍ଗାଳରେ ରାଜନୈତିକ ବିବାଦ ତୀବ୍ର ହୋଇଥିଲା।
ଏବେ କାଲିଘାଟରେ ଶୁଭେନ୍ଦୁଙ୍କ ମାଛ ଭୋଗ ଗ୍ରହଣକୁ ଏହି ବିବାଦର ଏକ ପ୍ରତୀକାତ୍ମକ ଉତ୍ତର ଭାବେ ଦେଖାଯାଉଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ କହିଛନ୍ତି—“ବିବାଦ ଏଠାରେ ଶେଷ ହେବା ଦରକାର।”
ବଙ୍ଗାଳରେ ମାଛ କେବଳ ଖାଦ୍ୟ ନୁହେଁ, ଏହା ଅନେକଙ୍କ ପାଇଁ ପରମ୍ପରା ଓ ଜୀବନଶୈଳୀର ଅଂଶ। ତେଣୁ ଶୁଭେନ୍ଦୁଙ୍କ ଏହି ପଦକ୍ଷେପକୁ ବଙ୍ଗାଳୀ ଆସ୍ଥା, ପରମ୍ପରା ଓ ଖାଦ୍ୟ ସଂସ୍କୃତି ପ୍ରତି ବିଜେପିର ସମ୍ମାନର ବାର୍ତ୍ତା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅର୍ଥାତ୍, ଆମିଷ ବନାମ ନିରାମିଷ ବିବାଦ ନୁହେଁ—ବଙ୍ଗାଳର ପରମ୍ପରା ଓ ଜୀବନଶୈଳୀ ହିଁ ଆଗରେ।

