ଭୋଗରାଇ: ଘଞ୍ଚ ଜଙ୍ଗଲ ଭିତରେ ରାତିର ଅନ୍ଧାରରେ ଏକ କଳା ଥାର୍ର ଯାତାୟାତ। କିଛି ସମୟ ଜଙ୍ଗଲ ଭିତରେ ରହିବା ପରେ ପୁଣି ସେହି ଗାଡ଼ି ଫେରିବା। ଏହି ଘଟଣାର ଦିନକ ପରେ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ହେବା ପରେ ରହସ୍ୟ ଆହୁରି ଗଭୀର ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୧୧ଟା ୨୫ରେ ଏକ କଳା ଥାର୍ ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲା। ପ୍ରାୟ ୧୫ ମିନିଟ୍ ପରେ ଗାଡ଼ିଟି ପୁଣି ବାହାରି ଆସିଥିଲା। ଏହି ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ଗାଡ଼ିକୁ ନେଇ ସନ୍ଦେହ ବଢ଼ିଛି। ତସ୍କରମାନେ ଏହି ଗାଡ଼ିରେ ବନ୍ୟଜନ୍ତୁ ଆଣି ଜଙ୍ଗଲରେ ଛାଡ଼ିଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରୁ ମିଳିଥିବା ହାତ ଗ୍ଲୋଭ୍ସ ମଧ୍ୟ ତଦନ୍ତକୁ ନୂଆ ଦିଗ ଦେଇଛି। ଇଣ୍ଡୋନେସିଆ ଓ ମାଲେସିଆ ଭଳି ଦେଶରେ ଦେଖାଯାଉଥିବା ଓରାଙ୍ଗଉଟାନ୍ ଓଡ଼ିଶାର ଜଙ୍ଗଲକୁ କିପରି ଆସିଲେ, ଏହାର ଉତ୍ତର ଖୋଜୁଛନ୍ତି ତଦନ୍ତକାରୀ। ସମୁଦ୍ରପଥରେ ବିଦେଶରୁ ପଶ୍ଚିମବଙ୍ଗର କୌଣସି ବନ୍ଦର ଦେଇ ଏମାନଙ୍କୁ ଚୋରାଚାଲାଣ କରାଯାଇଥିବା ଆଶଙ୍କା ମଧ୍ୟ ରହିଛି। ଏହା ପଛରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରୀ ରାକେଟ୍ର ଲିଙ୍କ୍ ଅଛି କି ନାହିଁ, ତାହା ମଧ୍ୟ ଖୋଳତାଡ଼ ଚାଲିଛି।
ଅନ୍ୟପଟେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ ଏବେ ନନ୍ଦନକାନନରେ ରହିଛନ୍ତି। ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇ ବିଶେଷ ଯତ୍ନ ନିଆଯାଉଛି। ବୟସ ପ୍ରାୟ ୧ରୁ ୧.୫ ବର୍ଷ ହୋଇଥିବାରୁ ବର୍ତ୍ତମାନ ସେମାନଙ୍କୁ ବୋତଲରେ କ୍ଷୀର ଦିଆଯାଉଛି। ଧୀରେ ଧୀରେ ଫଳ ଖାଇବାକୁ ଦିଆଯିବ।
ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ଦୁଇଟି ଦିଗ ଏବେ ଗୁରୁତ୍ୱ ପାଇଛି—ଓରାଙ୍ଗଉଟାନ୍ମାନଙ୍କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଓଡ଼ିଶାକୁ ଆଣିଥିବା ତସ୍କରୀ ରାକେଟ୍ର ମୂଳ ଖୋଜି ବାହାର କରିବା।

