ଭୁବନେଶ୍ୱର: ୟୁଏଇରେ ଓଡ଼ିଶାର ନିବେଶ ସମ୍ଭାବନାକୁ ନେଇ ଚାଲିଥିବା ଆଲୋଚନା ନୂଆ ଦିଗ ଦେଇଛି। ରାଜ୍ୟର ବିଭିନ୍ନ ଉତ୍ପାଦର ରପ୍ତାନି ବୃଦ୍ଧି, ଶିଳ୍ପ ବିକାଶ, ପେଟ୍ରୋକେମିକାଲ୍ସ, ଭିତ୍ତିଭୂମି ଓ ନିବେଶ କ୍ଷେତ୍ରରେ ୟୁଏଇ ସହଯୋଗକୁ ବଢ଼ାଇବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଓଡ଼ିଶାର ଉତ୍ପାଦକୁ ବିଶ୍ୱ ବଜାରରେ ଅଧିକ ସୁଯୋଗ ଦେବା ସହ ରାଜ୍ୟର ଦକ୍ଷ ମାନବସମ୍ବଳ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଜୋର ଦିଆଯାଇଛି।
ଆଲୋଚନା ସମୟରେ ହଳଦୀ, ଅଦା ଭଳି ମସଲାଜାତୀୟ ଉତ୍ପାଦ ସହ ସାମୁଦ୍ରିକ ଖାଦ୍ୟର ରପ୍ତାନି ବଢ଼ାଇବା ନେଇ ଯୋଜନା ଉପରେ ମତବିନିମୟ ହୋଇଥିଲା। ଏହାସହ ୟୁଏଇର ବଡ଼ ବ୍ରାଣ୍ଡଗୁଡ଼ିକ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରିଂର ସୁଯୋଗ ସୃଷ୍ଟି କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ଏଥିରେ ରାଜ୍ୟର ଉଦ୍ୟୋଗୀମାନେ ଭାଗ ନେଇ ନିଜ ବ୍ୟବସାୟକୁ ୟୁଏଇ ବଜାର ସହ ଯୋଡ଼ିବା ଏବଂ ବଜାର ସଂଯୋଗ ବଢ଼ାଇବା ସମ୍ପର୍କରେ ମତ ରଖିଥିଲେ।
ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବଡ଼ ପ୍ରସ୍ତାବ
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋରୋଜ୍ର ପେଟ୍ରୋକେମିକାଲ୍ ସେକ୍ଟର ସିଇଓ ହାଜିମ୍ ସୁଲତାନ ଅଲ୍ ସୁୱାଇଦିଙ୍କୁ ସାକ୍ଷାତ କରିଥିଲେ। ପାରାଦ୍ୱୀପରେ ଇଣ୍ଡିଆନ୍ ଅଏଲ୍ର ପ୍ରସ୍ତାବିତ ନାପଥା କ୍ରାକର ପ୍ଲାଣ୍ଟରୁ କଞ୍ଚାମାଲ ଉପଲବ୍ଧତାର ସୁଯୋଗ ନେଇ ଓଡ଼ିଶାରେ ଏକ ବୃହତ୍ ପେଟ୍ରୋକେମିକାଲ୍ସ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ସ୍ଥାପନ ପାଇଁ ବୋରୋଜ୍କୁ ଆମନ୍ତ୍ରଣ କରାଯାଇଛି।
ବୋରୋଜ୍ ପଲିଏଥିଲିନ୍ ଓ ପଲିପ୍ରୋପିଲିନ୍ ଭଳି ପଲିମର ଉତ୍ପାଦନ କରୁଥିବା ଏକ ପ୍ରମୁଖ କମ୍ପାନୀ। ଏହି ଉତ୍ପାଦ ଭିତ୍ତିଭୂମି, ଶକ୍ତି, ପରିବହନ, କୃଷି, ସ୍ୱାସ୍ଥ୍ୟସେବା ଓ ପ୍ୟାକେଜିଂ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୁଏ। ୨୦୨୫ କ୍ୟାଲେଣ୍ଡର ବର୍ଷରେ କମ୍ପାନୀ ୫.୮୫ ବିଲିୟନ୍ ଡଲାର ରାଜସ୍ୱ ହାସଲ କରିଥିଲା। ଓଡ଼ିଶାରେ ଏଭଳି ସହଯୋଗ ହେଲେ ଅନ୍ତର୍ଜାତୀୟ ପଲିମର ପ୍ରଯୁକ୍ତି ଆସିବା ସହ ପେଟ୍ରୋକେମିକାଲ୍ସ ଶିଳ୍ପରେ ମୂଲ୍ୟ ବୃଦ୍ଧିର ନୂଆ ସୁଯୋଗ ସୃଷ୍ଟି ହୋଇପାରେ।
ଅନ୍ୟପଟେ ୟୁଏଇର ନିବେଶ ସଂସ୍ଥାଗୁଡ଼ିକ ସହ ହୋଇଥିବା ଗୋଲଟେବୁଲ୍ ବୈଠକରେ ପିପିପି ମୋଡ୍ରେ ଓଡ଼ିଶାରେ ବିକଶିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଭିତ୍ତିଭୂମି ପ୍ରକଳ୍ପରେ ଦୀର୍ଘମିଆଦୀ ନିବେଶ, ସଂସ୍ଥାଗତ ଭାଗିଦାରୀ ଓ ପ୍ରକଳ୍ପ ଆକଳନ ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି।
ୟୁଏଇର ନିବେଶ ଗସ୍ତର ପ୍ରଥମ ଦିନର ଏହି ଆଲୋଚନା ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିଛି। ବନ୍ଦର, ଭିତ୍ତିଭୂମି, ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ନୂଆ ଭାଗିଦାରୀ ମାଧ୍ୟମରେ ରାଜ୍ୟରେ ନିବେଶ, ନିଯୁକ୍ତି ଓ ବଜାର ସୁଯୋଗ ବଢ଼ିବାର ଆଶା କରାଯାଉଛି।

