ବୁଢ଼ା ବାପା-ମା ଙ୍କ ଘରେ ରହୁଛନ୍ତି କି ? ସୁପ୍ରିମ କୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସମ୍ପତ୍ତି ବିବାଦକୁ ନେଇ ମାଆ-ପୁଅଙ୍କ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ମାଆଙ୍କ ସହ ବ୍ୟବହାରକୁ ନେଇ ପୁଅକୁ କଡ଼ା ଭାବେ ବୁଝାଇବା ସହ ତାଙ୍କ ପାଖକୁ ଯାଇ କ୍ଷମା ମାଗିବାକୁ ମୌଖିକ ଭାବେ କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା। ଏହି ମାମଲାରେ ଜଷ୍ଟିସ୍ ଶର୍ମାଙ୍କ ସହ ଜଷ୍ଟିସ୍ ଏନ୍.କେ. ସିଂହ ଶୁଣାଣି କରିଥିଲେ।

ମାମଲା ଅନୁଯାୟୀ, ସମ୍ପୃକ୍ତ ଘରର ମାଲିକାନା ମାଆ ଓ ବାପାଙ୍କ ନାମରେ ରହିଛି। ପୁଅ ଓ ବୋହୂଙ୍କୁ ସେମାନେ ସନ୍ତାନ ସ୍ନେହରେ ଘରର ପ୍ରଥମ ମହଲାରେ ମାଗଣାରେ ରହିବାକୁ ଅନୁମତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୁଅ ଓ ବୋହୂଙ୍କ ବ୍ୟବହାରକୁ ନେଇ ମାତାପିତା ଅଭିଯୋଗ କରିଥିଲେ। ଏପରିକି ଘରଟିକୁ ସେମାନଙ୍କ ନାମରେ କରିଦେବା ପାଇଁ ଚାପ ପକାଯାଉଥିବା ଅଭିଯୋଗ ମଧ୍ୟ ଆସିଥିଲା।

ପରେ ମାତାପିତା ପୁଅ ଓ ବୋହୂଙ୍କୁ ଦିଆଯାଇଥିବା ରହିବାର ଅନୁମତି ବାତିଲ କରିଥିଲେ। ଘର ଖାଲି କରିବା ପାଇଁ ନୋଟିସ୍ ଦିଆଯିବା ସହ ଏ ସମ୍ପର୍କରେ ପୁଅ ବିରୋଧରେ ପୁଲିସରେ ଅଭିଯୋଗ ମଧ୍ୟ କରାଯାଇଥିଲା। ଏହାସହ ସାର୍ବଜନୀନ ସୂଚନା ଜାରି କରି ପୁଅ ସହ ସମସ୍ତ ସାମାଜିକ ସମ୍ପର୍କ ଛିନ୍ନ କରିଥିବା ମଧ୍ୟ ଜଣାପଡ଼ିଛି।

ମାତାପିତାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ଘର ଉପରେ ଅଧିକାର ଜାହିର କରିବା ପାଇଁ ପୁଅ ଓ ବୋହୂ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏହା ପରେ ନିଜ ସମ୍ପତ୍ତିର ଦଖଲ ଫେରାଇବା, ସ୍ଥାୟୀ ନିଷେଧାଦେଶ ଏବଂ କ୍ଷତିପୂରଣ ପାଇଁ ମାତାପିତା ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

ମାମଲାର ବିଚାର କରି ଟ୍ରାୟଲ କୋର୍ଟ ମାତାପିତାଙ୍କୁ ସମ୍ପତ୍ତିର ଏକମାତ୍ର ମାଲିକ ବୋଲି ଗ୍ରହଣ କରିଥିଲେ। ପୁଅ ଓ ବୋହୂ କେବଳ ଲାଇସେନ୍ସ ଆଧାରରେ ସେଠାରେ ରହୁଥିଲେ ଏବଂ ସେହି ଅନୁମତି ବାତିଲ ହୋଇଥିବାରୁ ସେମାନଙ୍କୁ ସମ୍ପତ୍ତି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ରାୟକୁ ପୁଅ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ଏପ୍ରିଲ ୧୭ ତାରିଖରେ ହାଇକୋର୍ଟ ମଧ୍ୟ ନିମ୍ନ ଅଦାଲତର ରାୟକୁ ବଜାୟ ରଖିଥିଲେ। ଏହାପରେ ପୁଅ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରିଥିଲେ।

ବୁଧବାର ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଦେଇଛନ୍ତି। ଏହି ସମୟରେ ଜଷ୍ଟିସ୍ ଶର୍ମା ପୁଅକୁ ମାଆଙ୍କ ପ୍ରତି ନିଜ ଦାୟିତ୍ୱ ଓ ସମ୍ମାନ ବୁଝିବାକୁ କହିଥିଲେ। ମାଆଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ କ୍ଷମା ମାଗିବା ସହ ଆଶୀର୍ବାଦ ନେବାକୁ ସେ ମୌଖିକ ଭାବେ ପରାମର୍ଶ ଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ