ଭୁବନେଶ୍ୱର, ୦୯/୦୯: ବାଲେଶ୍ୱର ଭୋଗରାଇ ଅଞ୍ଚଳର ଝାଉଁ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ଶାବକଙ୍କୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି। ଏତେ ଦୂର ଦେଶରେ ଦେଖାଯାଉଥିବା ଏହି ବିରଳ ପ୍ରାଣୀ ବାଲେଶ୍ୱର ଜଙ୍ଗଲରେ କିପରି ପହଞ୍ଚିଲେ, ତାହାର ସ୍ପଷ୍ଟ ଉତ୍ତର ମିଳିନାହିଁ। ଏମାନେ ନିଜେ ଏଠାକୁ ଆସିଛନ୍ତି ନା ବନ୍ୟଜନ୍ତୁ ଚୋରାଚାଲାଣକାରୀମାନେ ଆଣି ଛାଡ଼ି ଦେଇଛନ୍ତି, ତାହା ନେଇ ତଦନ୍ତ ଚାଲିଛି।
ଓରାଙ୍ଗଉଟାନଙ୍କ ପ୍ରାକୃତିକ ଆବାସ ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ଅଞ୍ଚଳ। ଘନ ଓ ଆର୍ଦ୍ର ଜଙ୍ଗଲରେ ରହୁଥିବା ଏହି ପ୍ରାଣୀ ଏବେ ବିଲୁପ୍ତିର ଗୁରୁତର ବିପଦ ସମ୍ମୁଖୀନ। ଜଙ୍ଗଲ ନଷ୍ଟ ହେବା, ଶିକାର ଏବଂ ବେଆଇନ ବନ୍ୟଜନ୍ତୁ ବ୍ୟବସାୟ ଏହାର ପ୍ରମୁଖ କାରଣ।
ଲାଲ କିମ୍ବା କମଳା ରଙ୍ଗର ଲୋମ ଥିବା ଓରାଙ୍ଗଉଟାନ ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀ। ମଣିଷ ସହ ଏମାନଙ୍କର ଜିନଗତ ସାମଞ୍ଜସ୍ୟ ମଧ୍ୟ ଅଧିକ। ସାଧାରଣତଃ ଗଛ ଉପରେ ବସା ତିଆରି କରି ରହୁଥିବା ଏହି ପ୍ରାଣୀ ନିଜ ଶାବକଙ୍କୁ ଦୀର୍ଘ ସମୟ ଧରି ଯତ୍ନ ନିଅନ୍ତି।
ବାଲେଶ୍ୱରରୁ ମିଳିଥିବା ସମସ୍ତ ୫ ଶାବକଙ୍କ ବୟସ ଏକ ବର୍ଷରୁ କମ୍। ଏତେ ଛୋଟ ଶାବକଙ୍କୁ ମା’ ଛାଡ଼ି ଚାଲିଯିବା ସମ୍ଭାବନା କମ୍ ଥିବାରୁ ଘଟଣାଟି ଅଧିକ ସନ୍ଦେହଜନକ ହୋଇଛି।
ବନ ବିଭାଗର ଅଧିକାରୀଙ୍କ ମତରେ, ଇଣ୍ଡୋନେସିଆରୁ ଭାରତ ପର୍ଯ୍ୟନ୍ତ ଏମାନଙ୍କ ଆସିବା ପାଇଁ କୌଣସି ପ୍ରାକୃତିକ ରାସ୍ତା ନାହିଁ। ଘଟଣାସ୍ଥଳରୁ ମିଳିଥିବା ହାତ ଗ୍ଲୋବ୍ସ ଏବଂ କିଛି ସନ୍ଦିଗ୍ଧ ଗତିବିଧି ଚୋରାଚାଲାଣ ଆଶଙ୍କାକୁ ଆହୁରି ବଢ଼ାଇଛି।
ଇଣ୍ଡୋନେସିଆରେ ପାମ୍ ଅଏଲ୍ ଉତ୍ପାଦନ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ଓରାଙ୍ଗଉଟାନଙ୍କ ଆବାସ ମଧ୍ୟ କମିଚାଲିଛି। ଭାରତ ପାମ୍ ଅଏଲର ଏକ ବଡ଼ ଆମଦାନୀକାରୀ ହୋଇଥିବାରୁ ସମୁଦ୍ରପଥରେ ଆସୁଥିବା ଜାହାଜଗୁଡ଼ିକ ମଧ୍ୟ ତଦନ୍ତ ପରିସରକୁ ଆସିପାରେ। ଏହି ଶାବକମାନେ କେଉଁ ରାସ୍ତାରେ ଓ କାହା ମାଧ୍ୟମରେ ଓଡ଼ିଶାରେ ପହଞ୍ଚିଲେ, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।

