ଓଡ଼ିଶାରେ ରହିବେ ଓରାଙ୍ଗଓଟାନ୍ : ଏ ଡାଳରୁ ସେ ଡାଳକୁ ଡେଇଁବେ

ଭୁବନେଶ୍ବର, ୯/୯: ବାଲେଶ୍ବର ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଓଟାନ ଛୁଆଙ୍କୁ ନନ୍ଦନକାନନରେ ରଖିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସେଣ୍ଟ୍ରାଲ୍ ଜୁ’ ଅଥରିଟିଙ୍କ ଅନୁମତି ଲୋଡ଼ିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ।

ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଏହି ବିରଳ ପ୍ରାଣୀମାନଙ୍କୁ ବର୍ତ୍ତମାନ ନନ୍ଦନକାନନରେ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆର ପରିବେଶ ସହ ସମାନ ଜଳବାୟୁ ବ୍ୟବସ୍ଥା କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ଉଦ୍ଧାର ଓରାଙ୍ଗଓଟାନମାନେ ନନ୍ଦନକାନନରେ କେମିତି ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ଏବଂ ଆବଶ୍ୟକ ସୁବିଧା ମିଳୁଛି କି ନାହିଁ, ତାହା ନିଜେ ଯାଇ ଅନୁଧ୍ୟାନ କରିବେ ମନ୍ତ୍ରୀ।

ଅନ୍ୟପଟେ, ୫ ଓରାଙ୍ଗଓଟାନ ଓଡ଼ିଶାର ବିଚିତ୍ରପୁର ଜଙ୍ଗଲରେ କିପରି ପହଞ୍ଚିଲେ, ତାହାର ରହସ୍ୟ ଏବେ ବି ଖୋଲିନାହିଁ। ଘଟଣାର ତଦନ୍ତ ଏସଟିଏଫ ହାତକୁ ନେଇଛି। ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (WCCB) ସହଯୋଗରେ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି।

ଏହି ବନ୍ୟଜନ୍ତୁମାନେ କେଉଁ ଦେଶରୁ ଓଡ଼ିଶାକୁ ଅଣାଯାଇଥିଲେ, କେଉଁ ମାର୍ଗରେ ଏଠାକୁ ପହଞ୍ଚିଥିଲେ ଏବଂ ଏମାନଙ୍କୁ ଆଗକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା—ଏସବୁ ଦିଗକୁ ନେଇ ତଦନ୍ତକାରୀ ଟିମ୍ ଖୋଳତାଡ଼ କରୁଛି। ଏହାସହ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ, ସେମାନଙ୍କ ସନ୍ଧାନ ମଧ୍ୟ ଚାଲିଛି।

ମଙ୍ଗଳବାର ସକାଳେ ବିଚିତ୍ରପୁର ଜଙ୍ଗଲରୁ ମୋଟ ୫ଟି ଓରାଙ୍ଗଓଟାନ ଛୁଆ ଉଦ୍ଧାର ହୋଇଥିଲେ। ଏମାନଙ୍କ ମଧ୍ୟରେ ୩ଟି ଅଣ୍ଡିରା ଏବଂ ୨ଟି ମାଈ ଛୁଆ ରହିଛନ୍ତି। ସମସ୍ତଙ୍କ ବୟସ ଏକ ବର୍ଷରୁ କମ୍ ବୋଲି ଜଣାପଡ଼ିଛି।

ଓରାଙ୍ଗଓଟାନ ସାଧାରଣତଃ ଇଣ୍ଡୋନେସିଆ ଓ ମାଲେସିଆର ଘନ ଚିରହରିତ ଜଙ୍ଗଲରେ ବାସ କରନ୍ତି। ଏଭଳି ବିରଳ ପ୍ରାଣୀ ବାଲେଶ୍ବରର ଜଙ୍ଗଲରେ ମିଳିବା ପରେ ଘଟଣାକୁ ନେଇ ବନ ବିଭାଗ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି।

ପ୍ରାଥମିକ ଭାବେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣ ଚକ୍ରର ସମ୍ପୃକ୍ତି ଥିବା ନେଇ ଆଶଙ୍କା ପ୍ରକାଶ ପାଉଛି। ସମୁଦ୍ରପଥରେ ପଶ୍ଚିମବଙ୍ଗର କୌଣସି ବନ୍ଦର ଦେଇ ଏମାନଙ୍କୁ ଚୋରାରେ ଆଣିଥିବା ସମ୍ଭାବନାକୁ ମଧ୍ୟ ତଦନ୍ତକାରୀମାନେ ଖାରଜ କରୁନାହାନ୍ତି।

ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଧରାପଡ଼ିବା ଆଶଙ୍କାରେ ତସ୍କରମାନେ ଓରାଙ୍ଗଓଟାନଗୁଡ଼ିକୁ ଝାଉଁ ଜଙ୍ଗଲରେ ଛାଡ଼ି ଦେଇଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି।

ଏବେ ଏହି ରହସ୍ୟମୟ ଘଟଣାର ପ୍ରତ୍ୟେକ କଡ଼ି ଯୋଡ଼ିବାକୁ ଏସଟିଏଫ ଓ ବନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି। ଯଦି ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣର ପ୍ରମାଣ ମିଳେ, ତେବେ WCCB ମାଧ୍ୟମରେ ଏହାର ବଡ଼ ନେଟୱର୍କର ତଦନ୍ତ ଆଗକୁ ବଢ଼ିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ