ଚଣ୍ଡୀଗଡ଼: ଉବର ଓ ରାପିଡୋକୁ ବଡ଼ ଝଟକା। ନିୟମ ମାନୁନଥିବା ଅଭିଯୋଗରେ ଚଣ୍ଡୀଗଡ଼ ପ୍ରଶାସନ ଏହି ଦୁଇ ଆପ୍ ଆଧାରିତ ଯାତ୍ରୀ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ନେଇଛି। ଚଣ୍ଡୀଗଡ଼ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି (STA) ପକ୍ଷରୁ ଉବର ଓ ରାପିଡୋର ଆଗ୍ରିଗେଟର ଲାଇସେନ୍ସ ୬ ମାସ ପାଇଁ ବାତିଲ କରାଯାଇଛି।
ଏହି ନିଷ୍ପତ୍ତି ପରେ ଉଭୟ ସଂସ୍ଥା ଚଣ୍ଡୀଗଡ଼ରେ ନିଜର ଆପ୍ ଆଧାରିତ ବ୍ୟବସାୟିକ ପରିବହନ ସେବା ଚଳାଇବାରେ ବାଧା ସୃଷ୍ଟି ହୋଇଛି। ପ୍ରଶାସନର ନିୟମ ପାଳନ ନକରିବା ଏବଂ ଏନେଇ ଦିଆଯାଇଥିବା ନୋଟିସ୍ର ଯଥେଷ୍ଟ ଉତ୍ତର ନଦେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ନିୟମ ନମାନିବା ପଡ଼ିଲା ମହଙ୍ଗା
ଚଣ୍ଡୀଗଡ଼ ପ୍ରଶାସନ ୨୦୨୫ରେ ଲାଗୁ କରିଥିବା ‘ମୋଟର ଯାନ ଆଗ୍ରିଗେଟର ନିୟମାବଳୀ’ ଅନୁସାରେ ଆପ୍ ଆଧାରିତ କ୍ୟାବ୍ ଓ ବାଇକ୍ ରାଇଡ୍ ସେବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ପ୍ରଶାସନର ଅଭିଯୋଗ ଅନୁସାରେ, ଉବର ଓ ରାପିଡୋ ଏହି ନିୟମଗୁଡ଼ିକୁ ଠିକ୍ ଭାବେ ପାଳନ କରୁନଥିଲେ।
ବିଶେଷକରି ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଓ ବୀମା ସୁବିଧା, ନିର୍ଦ୍ଧାରିତ ଭଡ଼ା ଏବଂ ଡ୍ରାଇଭରଙ୍କ ତାଲିମକୁ ନେଇ ନିୟମ ଉଲ୍ଲଂଘନ ହୋଇଥିବା କୁହାଯାଇଛି। ଏହାସହ ସବ୍ସ୍କ୍ରିପସନ୍ ବ୍ୟବସ୍ଥା ଓ ପ୍ରିପେଡ୍ ରିଚାର୍ଜ ମଡେଲକୁ ନେଇ ମଧ୍ୟ କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇଥିଲେ।
ପ୍ରଶାସନ ପକ୍ଷରୁ ଏନେଇ ଉଭୟ କମ୍ପାନୀକୁ ଏକାଧିକ ଥର ଜବାବ ଦେବାକୁ କୁହାଯାଇଥିଲା। ହେଲେ ଆବଶ୍ୟକ ଦସ୍ତାବିଜ କିମ୍ବା ସନ୍ତୋଷଜନକ ସ୍ପଷ୍ଟୀକରଣ ମିଳିନଥିବାରୁ ଶେଷରେ ଲାଇସେନ୍ସ ବାତିଲ କରିବା ନିଷ୍ପତ୍ତି ନିଆଯାଇଛି।
Ola ଓ inDrive ଉପରେ ମଧ୍ୟ ହୋଇଛି କାର୍ଯ୍ୟାନୁଷ୍ଠାନ
ଚଣ୍ଡୀଗଡ଼ ପ୍ରଶାସନର ଏହି ପଦକ୍ଷେପ କେବଳ ଉବର ଓ ରାପିଡୋ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ପୂର୍ବରୁ ମଧ୍ୟ ଅନ୍ୟ ଆପ୍ ଆଧାରିତ ପରିବହନ ସଂସ୍ଥା ବିରୋଧରେ ସମାନ ପଦକ୍ଷେପ ନିଆଯାଇଛି।
ଚଳିତ ବର୍ଷ ଜୁନ୍ରେ ଓଲା ଏବଂ ଅଗଷ୍ଟରେ ଇନ୍ଡ୍ରାଇଭ୍ର ଆଗ୍ରିଗେଟର ଲାଇସେନ୍ସକୁ ମଧ୍ୟ ୬ ମାସ ପାଇଁ ବାତିଲ କରିଥିଲା ଚଣ୍ଡୀଗଡ଼ ପ୍ରଶାସନ। ଏବେ ଉବର ଓ ରାପିଡୋ ଉପରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ପରେ ସହରରେ ଆପ୍ ଆଧାରିତ ପରିବହନ ସେବାକୁ ନେଇ ନିୟମ ପାଳନ ଆହୁରି କଡ଼ା ହେବା ସ୍ପଷ୍ଟ ହୋଇଛି।

