କୋଚି, ୦୭/୦୯: ଉଡ଼ାଣ ଭରିବାର ପ୍ରାୟ ୫୦ ମିନିଟ୍ ପରେ ବିମାନରେ ଦେଖାଦେଲା ଯାନ୍ତ୍ରିକ ସମସ୍ୟା। ଆବୁଧାବି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଏକ ବିମାନକୁ ସତର୍କତାମୂଳକ ଭାବେ ପୁଣି କୋଚି ବିମାନବନ୍ଦରକୁ ଫେରାଇ ଅଣାଯାଇଛି। ପରେ ବିମାନଟି ସୁରକ୍ଷିତ ଭାବେ ରନ୍ୱେରେ ଅବତରଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବୋଇଙ୍ଗ ୭୩୭ ବିମାନ IX 415 ସୋମବାର କୋଚିରୁ ଆବୁଧାବି ଯାତ୍ରା ଆରମ୍ଭ କରିଥିଲା। ବିମାନଟି ଆକାଶରେ ପ୍ରାୟ ୩୬ ହଜାର ଫୁଟ୍ ଉଚ୍ଚତାରେ ଥିବା ସମୟରେ ପାଇଲଟ୍ ଇଞ୍ଜିନ୍-୧ ସମ୍ପର୍କିତ ତେଲ ଚାପ/ସ୍ତରରେ ଅସ୍ୱାଭାବିକତାର ସଙ୍କେତ ପାଇଥିଲେ।
ସମସ୍ୟା ଜଣାପଡ଼ିବା ପରେ ପାଇଲଟ୍ ତୁରନ୍ତ ATC ସହ ଯୋଗାଯୋଗ କରିଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିମାନକୁ ଗନ୍ତବ୍ୟସ୍ଥଳ ଆବୁଧାବି ନନେଇ ପୁଣି କୋଚିକୁ ଫେରାଇବାକୁ ନିଷ୍ପତ୍ତି ନିଆଗଲା। ଏହା ପରେ କୋଚି ବିମାନବନ୍ଦରରେ ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ବିମାନ ଅବତରଣ କରିବା ପୂର୍ବରୁ ବିମାନବନ୍ଦରରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ସତର୍କ ରଖାଯାଇଥିଲା। ଶେଷରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।
ଅନ୍ୟ ବିମାନରେ ଗଲେ ଯାତ୍ରୀ
ଘଟଣା ପରେ ଯାତ୍ରୀମାନଙ୍କ ଯାତ୍ରା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଅନ୍ୟ ଏକ ବିମାନରେ ସେମାନଙ୍କୁ ଆବୁଧାବି ପଠାଇବାର ବ୍ୟବସ୍ଥା କରାଯାଇଥିଲା।
ବିମାନରେ ଦେଖାଦେଇଥିବା ତ୍ରୁଟିର ପ୍ରକୃତ କାରଣ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଘଟଣାର ତଦନ୍ତ ପାଇଁ DGCA ପକ୍ଷରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ମଧ୍ୟ ଏହାକୁ ଯାନ୍ତ୍ରିକ ତ୍ରୁଟିଜନିତ ଘଟଣା ବୋଲି କୁହାଯାଇଛି।

