ନୂଆଦିଲ୍ଲୀ, ୦୭/୦୯: ଆମେରିକାର ଫ୍ଲୋରିଡାର ମିଆମି ବିମାନବନ୍ଦରରେ ଘଟିଛି ଭୟାବହ ବିମାନ ଦୁର୍ଘଟଣା। ରନ୍ୱେ ନିକଟରେ ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଧୂଆଁ ଦେଖାଯାଇଥିଲା। ଏହି ଅଘଟଣରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ମିଳିଥିବା ରିପୋର୍ଟ ଅନୁସାରେ, ଆମାଜନ୍ର ଏକ କାର୍ଗୋ ବିମାନ ରନ୍ୱେ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ବିମାନଟି ରନ୍ୱେ ଅତିକ୍ରମ କରି ଆଗକୁ ଚାଲିଯିବା ପରେ ନିୟନ୍ତ୍ରଣ ହରାଇ କ୍ରାଶ୍ କରିଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ବିମାନଟି ସେଠାରେ ଥିବା କିଛି ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିବା ଜଣାପଡ଼ିଛି।
ଘଟଣା ପରେ ମିଆମି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯିବା ସହ ଉଡ଼ାଣ ଓ ଅବତରଣ ଉପରେ ରୋକ୍ ଲଗାଯାଇଛି।
ଦୁର୍ଘଟଣାର ଖବର ପାଇ ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ବିମାନଟି କାହିଁକି ରନ୍ୱେ ଅତିକ୍ରମ କରି ଆଗକୁ ଚାଲିଗଲା, ତାହାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ସ୍ଥାନୀୟ ସମୟ ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ୩ ନମ୍ବର ରନ୍ୱେକୁ ଅତିକ୍ରମ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ପରେ ସେଥିରେ ନିଆଁ ଲାଗିଯାଇଥିଲା।
ଏହି ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଆମେରିକାର ଫେଡେରାଲ ଆଭିଏସନ୍ ପକ୍ଷରୁ ନିଆଯାଇଥିବା ବିମାନବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

