ଚଣ୍ଡୀଗଡ଼, ୦୪/୦୯: ହରିୟାଣାର ଯମୁନାନଗରରେ ଯମୁନା ନଦୀରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ଭାରତୀୟ ସେନାର ଦୁଇ ପାରା ସ୍ପେଶାଲ ଫୋର୍ସ ଯବାନଙ୍କ ମୃତଦେହ ଶେଷରେ ଉଦ୍ଧାର କରାଯାଇଛି। ହାଥିନୀକୁଣ୍ଡ ବ୍ୟାରେଜ୍ ନିକଟରେ ତାଲିମ ଅଭ୍ୟାସ ସମୟରେ ଘଟିଥିବା ଏହି ଦୁର୍ଘଟଣା ପରେ ପ୍ରାୟ ୪୮ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର ଅଭିଯାନ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ସନ୍ଧ୍ୟାରେ ପାଞ୍ଚଜଣ ଯବାନ ଏକ ମୋଟରବୋଟ୍ରେ ରାତ୍ରିକାଳୀନ ଜଳତାଲିମ ନେଉଥିଲେ। ଏହି ସମୟରେ ମୋଟରବୋଟ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବ୍ୟାରେଜ୍ ଗେଟ୍ ନିକଟରେ ନଦୀର ସ୍ରୋତ ଅତ୍ୟନ୍ତ ତୀବ୍ର ଥିବାରୁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ସ୍ରୋତରେ ଓଲଟି ଯାଇଥିଲା।
ଦୁର୍ଘଟଣା ପରେ ତିନିଜଣ ଯବାନ କୌଣସିମତେ ନଦୀରୁ ବାହାରି କୂଳରେ ପହଞ୍ଚିବାରେ ସଫଳ ହୋଇଥିଲେ। କିନ୍ତୁ ଅନ୍ୟ ଦୁଇଜଣ ଯବାନ ପ୍ରବଳ ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲେ। ସେନା, ବାୟୁସେନା, ଏନ୍ଡିଆର୍ଏଫ୍ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଲଗାତାର ଖୋଜାଖୋଜି ଚାଲିଥିଲା। ଶେଷରେ ଗୁରୁବାର ଦୁଇ ଯବାନଙ୍କ ମୃତଦେହ ମିଳିଥିଲା।

