ବିଜେପିରେ ଆରମ୍ଭ ହେଲାଣି କନ୍ଦଳ ! ଶକ୍ତିଶାଳୀ ରାଜ୍ୟସଭା ସାଂସଦ ବନାମ ଜୁଏଲ : ୨୦୨୯ରେ ଜିତିବ ତ ପଦ୍ମ ଦଳ ?

ରାଉରକେଲା: ସୁନ୍ଦରଗଡ଼ ବିଜେପିରେ ଥମୁନି ଗୋଷ୍ଠୀକନ୍ଦଳ। ରାଉରକେଲା ସର୍କିଟ୍‌ ହାଉସରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଆର୍‌ଏମ୍‌ସି ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କ ସମେତ ୧୨ ଜଣ ଗିରଫ ହେବା ପରେ ଦଳ ଭିତରେ ରାଜନୈତିକ ଟଣାଓଟରା ଆହୁରି ତୀବ୍ର ହୋଇଛି। ଘଟଣାକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ମୁହଁ ଖୋଲିବା ସହ ଏବେ ମାମଲା ଦଳୀୟ ରାଜନୀତିର ନୂଆ ମୋଡ଼ ନେଇଛି।

ରାଉରକେଲା ବିଜେପିର ଏକ ଗୋଷ୍ଠୀ ସାମାଜିକ ଗଣମାଧ୍ୟମରେ ଜୁଏଲ ଓରାମଙ୍କୁ ଟାର୍ଗେଟ କରିବା ସହ ‘ଜୁଏଲ ହଟାଅ, ସୁନ୍ଦରଗଡ଼ ବଞ୍ଚାଅ’ ଭଳି ନାରା ଦେଇଥିବା ଚର୍ଚ୍ଚା ହେଉଛି। ଜୁଏଲଙ୍କ ଆର୍‌ଏମ୍‌ସି ପ୍ରତିନିଧି ପ୍ରକାଶ ପାଶ୍ବାନ ଓ ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବଙ୍କ ଭୂମିକାକୁ ନେଇ ମଧ୍ୟ ଦଳର କିଛି ନେତା ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଯୋଗୁଁ ସୁନ୍ଦରଗଡ଼ରେ ଦଳର କ୍ଷତି ହେଉଥିବା ଅଭିଯୋଗ ମଧ୍ୟ ଆସୁଛି।

ଏହି ବିବାଦ ମଧ୍ୟରେ ଜୁଏଲ ଓରାମଙ୍କ ଏକ ବୟାନ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି। ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ଏବଂ ତାଙ୍କୁ ବଦନାମ କରିବା ପାଇଁ ଟଙ୍କା ଖର୍ଚ୍ଚ କରାଯାଉଥିବା ଜୁଏଲ ଅଭିଯୋଗ କରିଛନ୍ତି। ଏହା ପଛରେ ଅନ୍ୟ ଦଳରୁ ବିଜେପିକୁ ଆସିଥିବା କିଛି ନେତାଙ୍କ ଭୂମିକା ଥିବା ସେ ଦାବି କରିଛନ୍ତି।

ଏଥିସହ ଆଗାମୀ ସାଂସଦ ନିର୍ବାଚନ ଲଢ଼ିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ନେତାଙ୍କୁ ନେଇ ସେ କଠୋର ମନୋଭାବ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ଦଳର ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ତେବେ ତାଙ୍କ ବିରୋଧରେ କିଏ କାମ କରୁଛି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କାହାର ନାମ ନେଇନଥିଲେ।

ଅନ୍ୟପଟେ ରାଉରକେଲା ବିଜେପି ପ୍ରଭାରୀ ବଟକିଶୋର ମିଶ୍ର ମଧ୍ୟ ଜୁଏଲଙ୍କ ସମର୍ଥନରେ ମତ ରଖିଛନ୍ତି। ଦଳ ଭିତରେ ଜୁଏଲଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ଦଳରୁ ଆସିଥିବା କିଛି ନେତା ଦଳୀୟ ଫାଟକୁ ଉସକାଉଥିବା ମଧ୍ୟ ସେ କହିଛନ୍ତି।

ସୁନ୍ଦରଗଡ଼ ବିଜେପିରେ ଏହି ବିବାଦ ଏବେ କେବଳ ଜଣେ ନେତାଙ୍କୁ ନେଇ ରହିନାହିଁ। ଆଗକୁ ଦଳରେ କାହାର ପ୍ରଭାବ ବଢ଼ିବ, ଜିଲ୍ଲା ରାଜନୀତିରେ କେଉଁ ଗୋଷ୍ଠୀ ନିଜର ଦବଦବା ଜାହିର କରିବ ଏବଂ ଜୁଏଲଙ୍କ ବିରୋଧୀ ଶିବିରର ଭୂମିକା କ’ଣ ରହିବ—ତାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେପିର ଆଭ୍ୟନ୍ତରୀଣ ମତଭେଦ ଆଗାମୀ ଦିନରେ ଆହୁରି ଖୋଲାଖୋଲି ରୂପ ନେବ କି ନାହିଁ, ତା’ ଉପରେ ରହିଛି ସମସ୍ତଙ୍କ ନଜର।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ