ପଡ଼ିଆରେ ଟେଣ୍ଟ ବାନ୍ଧି ରହିବେ ଶ୍ରେୟସ୍ ଆଉ ବୈଭବ : ଏସିଆନ ଗେମ୍ସରେ ଭାରତୀୟ ଦଳର ଏ କି ଅବସ୍ଥା ?

ନୂଆଦିଲ୍ଲୀ, ୨୮/୦୮: ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଭାରତୀୟ କ୍ରିକେଟ୍‌ରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ା ମହାକୁମ୍ଭର କ୍ରିକେଟ୍ ପାଇଁ ଭାରତ ନିଜର ପୂର୍ଣ୍ଣ ଶକ୍ତିର ଦଳ ପଠାଇବା ପରିବର୍ତ୍ତେ ବି-ଟିମ୍ ପଠାଇବା ଉପରେ ବିଚାର କରୁଥିବା ଜଣାପଡ଼ିଛି।

ଏସିଆନ୍ କ୍ରିକେଟ୍ କାଉନସିଲ୍‌ (ଏସିସି) ଓ ବିସିସିଆଇ ମଧ୍ୟରେ ଏନେଇ ଆଲୋଚନା ହୋଇଛି। ଜାପାନରେ ଭାରତୀୟ ଖେଳାଳିଙ୍କ ପାଇଁ ଆବଶ୍ୟକ ସୁବିଧା ଓ ରହିବା ବ୍ୟବସ୍ଥାକୁ ନେଇ ବୋର୍ଡ ସନ୍ତୁଷ୍ଟ ନଥିବା ସୂଚନା ମିଳିଛି। ଏହି କାରଣରୁ ବିସିସିଆଇ ଏବେ ପରିସ୍ଥିତିକୁ ନିଜେ ଯାଞ୍ଚ କରିବାକୁ ଯୋଜନା କରୁଛି।

ସୂଚନା ଅନୁସାରେ, ବିସିସିଆଇ ପକ୍ଷରୁ ଜଣେ ଅଧିକାରୀଙ୍କୁ ଜାପାନ ପଠାଯାଇପାରେ। ସେଠାରେ ଖେଳାଳିଙ୍କ ରହଣି, ଖାଦ୍ୟ, ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥାର ସ୍ଥିତି ଯାଞ୍ଚ କରାଯିବ। ଯଦି ବ୍ୟବସ୍ଥାରେ ସୁଧାର ନଆସେ, ତେବେ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ବି-ଟିମ୍ ପଠାଇବା ନିଷ୍ପତ୍ତି ନେଇପାରେ।

ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଖେଳାଳିଙ୍କ ରହିବା ବ୍ୟବସ୍ଥା। ଜାପାନ ଅଲିମ୍ପିକ୍ କମିଟିର ଅଧିକାରୀଙ୍କ ସହ ହୋଇଥିବା ଏକ ବୈଠକରେ ଖେଳାଳିମାନଙ୍କୁ ଟେଣ୍ଟରେ ରଖିବା ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହାସହ ଟେଣ୍ଟଠାରୁ ବାଥରୁମ୍ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ଦୂରତା ରହିଥିବା କୁହାଯାଇଛି। ଏପରି ବ୍ୟବସ୍ଥା ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ପାଇଁ ଅସୁବିଧାଜନକ ହୋଇପାରେ।

କେବଳ ଏତିକି ନୁହେଁ, ଖେଳାଳିଙ୍କ ପାଇଁ ଉପଲବ୍ଧ ହୋଟେଲ୍ ରୁମ୍‌ଗୁଡ଼ିକ ମଧ୍ୟ ଆବଶ୍ୟକତା ଅନୁସାରେ ଯଥେଷ୍ଟ ଛୋଟ ବୋଲି ବିସିସିଆଇ ଅଧିକାରୀମାନେ ମତ ଦେଇଛନ୍ତି। ଏହି ସମସ୍ତ ସମସ୍ୟା ସମ୍ପର୍କରେ ଜାପାନର ଅଧିକାରୀମାନଙ୍କୁ ଅବଗତ କରାଯାଇଛି।

ଏସିଆନ୍ ଗେମ୍ସ ସେପ୍ଟେମ୍ବର ୧୯ରୁ ଆଇଚି-ନାଗୋୟାରେ ଆରମ୍ଭ ହେବ। ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ମହିଳା କ୍ରିକେଟ୍ ଦଳଗୁଡ଼ିକ ସେପ୍ଟେମ୍ବର ୧୭ରୁ ୨୨ ମଧ୍ୟରେ ମ୍ୟାଚ୍ ଖେଳିବେ।

ଏବେ ସମସ୍ତଙ୍କ ନଜର ବିସିସିଆଇର ପରବର୍ତ୍ତୀ ନିଷ୍ପତ୍ତି ଉପରେ। ଜାପାନରେ ବ୍ୟବସ୍ଥାରେ ଉନ୍ନତି ହେଉଛି କି ନାହିଁ, ତାହା ଯାଞ୍ଚ ପରେ ଭାରତର ଚୂଡ଼ାନ୍ତ ଦଳ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ