ଭୁବନେଶ୍ୱର: ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ରାଶି ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁସାରେ, ଏଥର ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ମୋଟ ୫,୧୬୦ କୋଟି ଟଙ୍କା ପଠାଯାଇଛି। ଏହା ସହିତ ସୁଭଦ୍ରା ଯୋଜନାରେ ଆଉ ୨ ଲକ୍ଷ ୨୧ ହଜାର ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି। ଫଳରେ ଅଧିକ ସଂଖ୍ୟକ ମହିଳା ଏହି ଯୋଜନାର ସୁବିଧା ପାଇବାର ସୁଯୋଗ ପାଇଛନ୍ତି।
ରାଜ୍ୟ ସରକାରଙ୍କ ଏହି ଯୋଜନାର ଲକ୍ଷ୍ୟ ହେଉଛି ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଆତ୍ମନିର୍ଭରଶୀଳତା ବଢ଼ାଇବା। କିସ୍ତି ଟଙ୍କା ମିଳିବା ପରେ ହିତାଧିକାରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ନେତା ଓ ଅଧିକାରୀ ଉପସ୍ଥିତ ଥିଲେ।
ରାକ୍ଷୀପୂର୍ଣ୍ଣିମା ଦିନ ଏହି ଅର୍ଥ ହସ୍ତାନ୍ତର ହୋଇଥିବାରୁ ହିତାଧିକାରୀ ମହିଳାଙ୍କ ପାଇଁ ଏହା ଉତ୍ସବର ଖୁସିକୁ ଆହୁରି ବଢ଼ାଇ ଦେଇଛି।

