ମାଡ଼ି ଆସୁଛି ଲଘୁଚାପ ! ଭୟଙ୍କର ବନ୍ୟାରେ ଭାସିବ ଓଡ଼ିଶା

ଭୁବନେଶ୍ୱର, ୨୮/୦୮ : ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ବର୍ଷା ଜାରି ରହିବାର ଆକଳନ କରାଯାଇଛି। ଅଗଷ୍ଟ ୨୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ଗଠନ ହେବାର ସମ୍ଭାବନା ଥିବାବେଳେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଫଳରେ ସେପ୍ଟେମ୍ବରରେ ମଧ୍ୟ ରାଜ୍ୟରେ ଶୁଖିଲା ପାଗ ଅପେକ୍ଷା ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ୨୯ ତାରିଖ ସୁଦ୍ଧା ଏହି ଅଞ୍ଚଳରେ ଲଘୁଚାପ ଗଠନ ହୋଇପାରେ। ସେହିପରି ଆଗାମୀ ଦୁଇ ସପ୍ତାହର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୩ କିମ୍ବା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବା ନେଇ ଆକଳନ କରାଯାଇଛି। ଅଗଷ୍ଟ ୨୮ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
ତେବେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଆକଳନ ଅନୁଯାୟୀ, ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଅଧିକ ରହିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ