ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶର ଶାସକ ମେଣ୍ଟରେ ଏବେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସହଯୋଗୀ ତେଲୁଗୁଦେଶମ ପାର୍ଟି (ଟିଡିପି) କିମ୍ବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ବିରୋଧରେ ପବନ କଲ୍ୟାଣ ସିଧାସଳଖ କୌଣସି ମନ୍ତବ୍ୟ ଦେଉନାହାନ୍ତି। କିନ୍ତୁ ତାଙ୍କର ନୀରବତା, ବୈଠକରେ ଅନୁପସ୍ଥିତି ଏବଂ କିଛି ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରହିବା ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ଖବର ଅନୁସାରେ, ପବନ କଲ୍ୟାଣ ଲଗାତାର ତିନିଟି କ୍ୟାବିନେଟ୍ ବୈଠକରେ ଯୋଗ ଦେଇନାହାନ୍ତି। ଏହା ପୂର୍ବରୁ ମଧ୍ୟ ସେ ଦୁଇଟି କ୍ୟାବିନେଟ୍ ବୈଠକ ଅଧାରୁ ଛାଡ଼ି ଚାଲିଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହି ଘଟଣାଗୁଡ଼ିକୁ ନେଇ ମେଣ୍ଟ ସରକାରର କିଛି ନିଷ୍ପତ୍ତି ପ୍ରତି ପବନ ସନ୍ତୁଷ୍ଟ ନଥିବା ଆକଳନ କରାଯାଉଛି। ତେବେ ଏନେଇ ପବନ କିମ୍ବା ଜନସେନା ପକ୍ଷରୁ କୌଣସି ସ୍ପଷ୍ଟ ଅସନ୍ତୋଷ ପ୍ରକାଶ କରାଯାଇନାହିଁ।
ଗୁରୁବାର ଅମରାବତୀରେ ଚନ୍ଦ୍ରବାବୁ ନାୟଡୁଙ୍କ ଉପସ୍ଥିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକଳ୍ପର ଉଦଘାଟନ ହୋଇଥିଲା। ସିଡ୍ ଆକ୍ସେସ୍ ରୋଡ୍ର ଦ୍ୱିତୀୟ ପର୍ଯ୍ୟାୟ, ବକିଂଘମ୍ କେନାଲ୍ ଉପରେ ନିର୍ମିତ ଷ୍ଟିଲ୍ ବ୍ରିଜ୍ ଏବଂ ବିଧାୟକଙ୍କ ଆବାସିକ ପ୍ରକଳ୍ପର ଉଦଘାଟନ ମଧ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପବନ କଲ୍ୟାଣ ଯୋଗ ଦେଇନଥିଲେ। ତେବେ ଏହି ସମୟରେ ସେ ବିଶାଖାପାଟଣାରେ ବିଶ୍ୱ ହାତୀ ଦିବସ ସମ୍ପର୍କିତ ଏକ ଜାତୀୟ କାର୍ଯ୍ୟକ୍ରମରେ ଥିଲେ।
ଅନ୍ୟପକ୍ଷରେ, କାର୍ଯ୍ୟକ୍ରମର ମାତ୍ର ଗୋଟିଏ ଦିନ ପୂର୍ବରୁ ମନ୍ତ୍ରୀ ପି. ନାରାୟଣ ପବନ କଲ୍ୟାଣଙ୍କୁ ଭେଟି ଅମରାବତୀ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିଥିବା ଖବର ମିଳିଛି। ଏତେ ବଡ଼ ସରକାରୀ କାର୍ଯ୍ୟକ୍ରମ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଶେଷ ମୁହୂର୍ତ୍ତରେ ନିମନ୍ତ୍ରଣ କରାଯିବାକୁ ନେଇ ଜନସେନା ଶିବିରରେ ମଧ୍ୟ ପ୍ରଶ୍ନ ଉଠିଥିବା କୁହାଯାଉଛି।
ପବନ କଲ୍ୟାଣ ଏବେ ରାଜ୍ୟର ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି। ତେଣୁ ତାଙ୍କୁ ଏକ ଦିନ ପୂର୍ବରୁ ଆମନ୍ତ୍ରଣ କରିବା ନେଇ ଜନସେନାର କିଛି ନେତା ପ୍ରଶ୍ନ ଉଠାଇଥିବା ଚର୍ଚ୍ଚା ହେଉଛି। ଏହା ସହିତ ଚନ୍ଦ୍ରବାବୁ ନାୟଡୁ ଓ ନାରା ଲୋକେଶଙ୍କ କିଛି ନୀତି ଏବଂ ନିଷ୍ପତ୍ତି ପ୍ରତି ପବନଙ୍କ ମତଭେଦ ଥିବା ନେଇ ପୂର୍ବରୁ ମଧ୍ୟ ଆଲୋଚନା ହୋଇଆସୁଛି।
ତଥାପି ପବନ କଲ୍ୟାଣ କେବେବି ସାର୍ବଜନୀନ ଭାବେ ମେଣ୍ଟ ସରକାର ବିରୋଧରେ ମୁହଁ ଖୋଲିନାହାନ୍ତି। ବରଂ ଟିଡିପି, ଜନସେନା ଓ ବିଜେପି ମଧ୍ୟରେ ଥିବା ମେଣ୍ଟକୁ ଦୀର୍ଘ ସମୟ ଧରି ଜାରି ରଖିବାର ଆବଶ୍ୟକତା ସେ ବାରମ୍ବାର କହିଛନ୍ତି। ଏହି ପରିସ୍ଥିତିରେ ତାଙ୍କର ବର୍ତ୍ତମାନର ଆଚରଣକୁ ନେଇ ରାଜନୈତିକ ମହଲରେ ଅନେକ ଅନୁମାନ ଲଗାଯାଉଛି।
ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ବିଧାୟକଙ୍କ ଆବାସ ନିର୍ମାଣରେ ଅନିୟମିତତା ଅଭିଯୋଗ ଭଳି କିଛି ପ୍ରସଙ୍ଗ ସାମ୍ନାକୁ ଆସିଛି। ଏପରି ବିବାଦୀୟ ପ୍ରସଙ୍ଗରୁ ପବନ ଜାଣିଶୁଣି ଦୂରେଇ ରହୁଛନ୍ତି କି ନାହିଁ, ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି। କାରଣ ଏହି ପ୍ରସଙ୍ଗଗୁଡ଼ିକରେ ସିଧାସଳଖ ଜଡ଼ିତ ହେଲେ ଜନସାଧାରଣଙ୍କ ସମାଲୋଚନାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଜନସେନା ପକ୍ଷରୁ ତେବେ ଟିଡିପି ସହ ସମ୍ପର୍କରେ କୌଣସି ଫାଟ ଥିବା ନେଇ ଆଧିକାରିକ ଭାବେ କିଛି କୁହାଯାଇନାହିଁ। ଦଳର ନୀରବତା ହିଁ ଏବେ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରୁଛି। ପବନ କଲ୍ୟାଣ କମ୍ କହୁଥିଲେ ମଧ୍ୟ ତାଙ୍କର ଅନୁପସ୍ଥିତି ଓ ନୀରବ ରାଜନୈତିକ ଆଭିମୁଖ୍ୟ ମେଣ୍ଟ ଭିତରେ କିଛି ଅସନ୍ତୋଷ ରହିଛି କି ନାହିଁ, ସେନେଇ ନୂଆ ପ୍ରଶ୍ନ ଉଠାଇଛି। ଏବେ ଆଗାମୀ ଦିନରେ ପବନ କଲ୍ୟାଣ କିମ୍ବା ଜନସେନା ଏନେଇ କୌଣସି ସ୍ପଷ୍ଟ ସଙ୍କେତ ଦେଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର।

